
ଜୟପୁର, ୧ ନଭେମ୍ବର (ହି.ସ.)- ପୂର୍ବତଟ ରେଳପଥର ରାୟଗଡ଼ା ରେଳ ମଣ୍ଡଳ ପକ୍ଷରୁ ବ୍ରିକ୍ସ ସଷ୍ଟେନେବଲ୍ ଲାଇଫ୍ଷ୍ଟାଇଲ୍ ବା ସ୍ଥାୟୀ ଜୀବନଶୈଳୀ ସପ୍ତାହ ପାଳନ ଅବସରରେ ରେଳ କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଏବଂ ଯାତ୍ରୀମାନଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ନଭେମ୍ବର ୧ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି ଅବସରରେ ରାୟଗଡ଼ା ରେଳ ଷ୍ଟେସନ, ରେଳବାଇ କଲୋନୀ ଏବଂ ଚଳନ୍ତା ଟ୍ରେନ୍ ଗୁଡ଼ିକରେ ସୁସ୍ଥ ଜୀବନଶୈଳୀ ଆପଣାଇବା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରେଳ କର୍ମଚାରୀ ଓ ଯାତ୍ରୀମାନଙ୍କୁ ଦୈନନ୍ଦିନ ଜୀବନରେ ସୁସ୍ଥ ଅଭ୍ୟାସ ଏବଂ ସ୍ୱାସ୍ଥ୍ୟକର ଜୀବନଶୈଳୀ ଆପଣାଇବାକୁ ଉତ୍ସାହିତ କରାଯାଇଥିଲା।ସେହିପରି ରାୟଗଡ଼ା ରେଳବାଇ ଇନଷ୍ଟିଚ୍ୟୁଟ, କୋରାପୁଟ, ଆରକୁ ଏବଂ ଜଗଦଲପୁରଠାରେ ଯୋଗ ଅଭ୍ୟାସ ଅଧିବେଶନ ଆୟୋଜନ କରାଯାଇଥିଲା। ଶାରୀରିକ ସୁସ୍ଥତା ଓ ମାନସିକ ଶାନ୍ତି ବଜାୟ ରଖିବାରେ ଯୋଗର ଗୁରୁତ୍ୱ ସମ୍ପର୍କରେ ଏହି ଅଧିବେଶନରେ ଆଲୋକପାତ କରାଯାଇଥିଲା। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଭ୍ୟାସ ଭାବେ ଗ୍ରହଣ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରାଯାଇଥିଲା। ରାୟଗଡ଼ା ମଣ୍ଡଳ ରେଳ ପ୍ରବନ୍ଧକ ଅମିତାଭ ସିଙ୍ଗଲ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବ୍ରିକ୍ସ ସଷ୍ଟେନେବଲ୍ ଲାଇଫ୍ଷ୍ଟାଇଲ୍ ସପ୍ତାହରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହ ସୁସ୍ଥ ଜୀବନଶୈଳୀକୁ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ପରାମର୍ଶ ଦେଇଥିଲେ। ସମାଜର ସାମଗ୍ରିକ କଲ୍ୟାଣ ପାଇଁ ଯୋଗ, ଶାରୀରିକ ସୁସ୍ଥତା, ସ୍ୱାସ୍ଥ୍ୟକର ଅଭ୍ୟାସ ଏବଂ ବ୍ୟକ୍ତିଗତ ଦାୟିତ୍ୱବୋଧର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ। ଏଥିସହ ଯାତ୍ରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁସ୍ଥ ଏବଂ ସ୍ଥାୟୀ ଜୀବନଶୈଳୀ ଆପଣାଇବାର ଆବଶ୍ୟକତା ସମ୍ପର୍କରେ ସଚେତନତା ପ୍ରସାର କରିବାକୁ ରେଳ କର୍ମଚାରୀମାନଙ୍କୁ ସେ ଉତ୍ସାହିତ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସୁସ୍ଥ ଜୀବନଶୈଳୀର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ଏକ ସୁସ୍ଥ ଓ ସ୍ଥାୟୀ ସମାଜ ଗଠନରେ ବ୍ୟକ୍ତିଗତ ଅଂଶଗ୍ରହଣକୁ ଉତ୍ସାହିତ କରିବା। ରେଳ ଷ୍ଟେସନ, ରେଳବାଇ କଲୋନୀ ଏବଂ ଚଳନ୍ତା ଟ୍ରେନ୍ ରେ ଏହି ସଚେତନତା ବାର୍ତ୍ତା ପହଞ୍ଚାଇ ରାୟଗଡ଼ା ରେଳ ମଣ୍ଡଳ ବ୍ରିକ୍ସ ସଷ୍ଟେନେବଲ୍ ଲାଇଫ୍ଷ୍ଟାଇଲ୍ ସପ୍ତାହ ପାଳନରେ ସକ୍ରିୟ ଜନସହଭାଗିତା ଓ ସଚେତନତା ପ୍ରସାର ପାଇଁ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରକାଶ କରିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି