ମହାସମାଧାନ ଶିବିର ଅନୁଷ୍ଠିତ; ମୋଟ୍ ୯୧ଟି ଅଭିଯୋଗ ପଞ୍ଜୀକୃତ, ୧୪ଟିର ତୁରନ୍ତ ଫଇସଲା
Mahasamadhan-sibir-JHS
ମହାସମାଧାନ ଶିବିର ଅନୁଷ୍ଠିତ; ମୋଟ ୯୧ଟି ଅଭିଯୋଗ


ଝାରସୁଗୁଡ଼ା, ୨ ନଭେମ୍ବର (ହି.ସ.)- ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ମହାସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପିଡି (ଆର୍ ଆଣ୍ଡ୍ ଆର୍) ଲଳିତ ସୋରେଙ୍ଗ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ସିଡିଏମ୍ ଏବଂ ପିଏଚ୍ଓ ଡାକ୍ତର ଶକ୍ତି ପାଢ଼ୀ, ଜିଲ୍ଲା କୃଷି ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ଆଜିର ଏହି ଶୁଣାଣି ଶିବିରରେ ମୋଟ ୯୧ଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା। ସେଥିମଧ୍ୟରୁ ୭୦ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୨୧ଟି ସାମୂହିକ ବା ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କିତ ଅଭିଯୋଗ ରହିଥିଲା। ଶିବିରରେ ହିଁ ୧୪ଟି ଗୁରୁତ୍ୱପୂର୍ଣ୍ଣ ଆବେଦନର ତୁରନ୍ତ ସମାଧାନ କରାଯାଇଥିଲା। ଏଥିସହ ଜଣେ ଅସହାୟ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଶିବିରରେ ମୁଖ୍ୟତଃ ସରକାରୀ ଜମି ଜବରଦଖଲ ଉଚ୍ଛେଦ, କାରଖାନା ନିର୍ଗତ ଫ୍ଲାଏ ଆସ୍ ସମସ୍ୟା, ସରକାରୀ ଜମି ପଟ୍ଟା ଆବଣ୍ଟନ, ବିସ୍ଥାପନ ଏବଂ ଥଇଥାନ, ସ୍ଥାନୀୟ ନିଯୁକ୍ତି, ସୌର ଶକ୍ତି ବ୍ୟବସ୍ଥା, ଭିନ୍ନକ୍ଷମ ଭତ୍ତା, ଜମି ବିବାଦ, ରାସ୍ତା ନିର୍ମାଣ ଓ ମରାମତି ଏବଂ ଜମି ସୀମା ନିର୍ଦ୍ଧାରଣ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଲୋକେ ନିଜର ଦାବି ଉପସ୍ଥାପନ କରିଥିଲେ। ଲୋକଙ୍କ ସମସ୍ୟାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande