ମହାନଦୀ ଟାପୁରେ ପୁଣି ସକ୍ରିୟ ଚୋରା ମଦ ମାଫିଆ : ପୁଲିସର ମିଳିତ ଚଢ଼ଉ, ୫୦ କ୍ଵିଣ୍ଟାଲରୁ ଅଧିକ ମହୁଲ ପୋଚ ନଷ୍ଟ
Illegal Liquor Mafia Active Again on Mahanadi Island
ମହାନଦୀ ଟାପୁରେ ପୁଣି ସକ୍ରିୟ ଚୋରା ମଦ ମାଫିଆ : ପୁଲିସର ମିଳିତ ଚଢ଼ଉ, ୫୦ କ୍ଵିଣ୍ଟାଲରୁ ଅଧିକ ମହୁଲ ପୋଚ ନଷ୍ଟ


ଝାରସୁଗୁଡା, ୨୪ ନଭେମ୍ବର (ହି.ସ.)- ପୁଲିସର ଘନଘନ ଚଢ଼ଉ ସତ୍ଵେ ମହାନଦୀ ଟାପୁରେ ଥମୁନି ବେଆଇନ ଦେଶୀ ମଦ ପ୍ରସ୍ତୁତି। କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଚୋରା ମଦ ମାଫିଆ। ଏହି କାରବାର ଉପରେ ଅଙ୍କୁଶ ଲଗାଇବାକୁ ରେଙ୍ଗାଲି ପୁଲିସ ପକ୍ଷରୁ ମହାନଦୀର ଏକ ଟାପୁରେ ଗତକାଲି ରାତି ମିଳିତ ଚଢ଼ଉ କରାଯାଇ ୫୦ କ୍ଵିଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲ ପୋଚ ସହ ବିପୁଳ ପରିମାଣର ଗୁଡ଼ ଜବତ କରି ନଷ୍ଟ କରାଯାଇଛି। ତେବେ ପୁଲିସ ପହଞ୍ଚିବା ପୂର୍ବରୁ ଘନ କୁହୁଡ଼ିର ସୁଯୋଗ ନେଇ ମଦ ପ୍ରସ୍ତୁତକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସୂଚନା ଅନୁଯାୟୀ, ରେଙ୍ଗାଲି ଥାନା ଅନ୍ତର୍ଗତ ମହାନଦୀ କୂଳରେ ଥିବା ବଡ଼ଧରା ଖଜୁରିଆପଡ଼ା ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବେଆଇନ ମହୁଲି ମଦ ପ୍ରସ୍ତୁତି ଓ ଚୋରା କାରବାର ଚାଲିଆସୁଛି। ଗାଁ ନିକଟସ୍ଥ ମହାନଦୀ ଟାପୁରେ ମଦ ପ୍ରସ୍ତୁତ କରାଯାଇ ଗାଁର ବିଭିନ୍ନ ଘରେ ଗଚ୍ଛିତ ରଖାଯାଉଥିଲା। ପରେ ଏହାକୁ ଅନ୍ୟ ଅଞ୍ଚଳକୁ ଚୋରା ଚାଲାଣ କରାଯାଉଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଗତ ମଇ୨୬ ତାରିଖ ବିଳମ୍ବିତ ରାତିରେ ରେଙ୍ଗାଲି ପୁଲିସ ଏହି ଗାଁରେ ବଡ଼ ଧରଣର ଚଢ଼ଉ କରିଥିଲା। ଏହି ସମୟରେ ବିଭିନ୍ନ ଘରୁ ୮୭୨ ଲିଟର ଦେଶୀ ରନ୍ଧା ମଦ, ୩୦ କ୍ଵିଣ୍ଟାଲରୁ ଅଧିକ ମହୁଲ ପୋଚ ଏବଂ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିଲା। ଘଟଣାରେ ଜଣେ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ହୋଇଥିଲା। ମାତ୍ର ଏହାର କିଛି ଦିନ ପରେ ପୁଣି ଟାପୁରେ ମଦ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ପୁଲିସକୁ ସୂଚନା ମିଳିଥିଲା।

ଏହି ସୂଚନା ଆଧାରରେ ରେଙ୍ଗାଲି ଥାନା ଅଧିକାରୀ ସମରେନ୍ଦ୍ର ନାୟକଙ୍କ ନେତୃତ୍ଵରେ ତିନୋଟି ପୁଲିସ ଟିମ୍ ଗଠନ କରାଯାଇଥିଲା। ରେଙ୍ଗାଲି ଥାନା ସହ କନକତୋରା ଓ କଣ୍ଢେଇକେଲା ଫାଣ୍ଡିର ପୁଲିସ କର୍ମଚାରୀମାନେ ପୂଝାରିପାଲି, ନନ୍ଦପାଲି ଓ ଅମାପାଲି ପଟୁ ଜଳପଥରେ ମୋଟରବୋଟ୍ ଯୋଗେ ଟାପୁରେ ପହଞ୍ଚି ଚଢ଼ଉ କରିଥିଲେ। ତେବେ ବିଳମ୍ବିତ ରାତିରେ ଘନ କୁହୁଡ଼ି ଯୋଗୁଁ ସମଗ୍ର ଅଞ୍ଚଳ ଆଚ୍ଛାଦିତ ହୋଇ ରହିଥିବାରୁ ଏହାର ସୁଯୋଗ ନେଇ ଅଭିଯୁକ୍ତମାନେ ଖସି ପଳାଇଥିଲେ। ଫଳରେ କାହାରିକୁ ଗିରଫ କରିବା ସମ୍ଭବ ହୋଇନଥିଲା। ଅନ୍ୟପକ୍ଷରେ ଘଟଣାସ୍ଥଳରୁ ୫୦ କ୍ଵିଣ୍ଟାଲରୁ ଅଧିକ ମହୁଲ ପୋଚ ଓ ମଦ ପ୍ରସ୍ତୁତିରେ ବ୍ୟବହୃତ ବିପୁଳ ପରିମାଣର ଗୁଡ଼ ନଷ୍ଟ କରାଯାଇଥିଲା। ଆଗକୁ ମଧ୍ୟ ବେଆଇନ ମଦ କାରବାର ବିରୋଧରେ ଚଢ଼ଉ ଜାରି ରହିବ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି।

ଅନ୍ୟପକ୍ଷରେ, ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳରେ ଚାଲିଥିବା ବେଆଇନ ମଦ କାରବାର ପଛରେ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସେମାନେ ଏହି କାରବାରର ପରିଚାଳନା କରିବା ସହ ଏହାକୁ ସୁରକ୍ଷା ଯୋଗାଉଥିବା ନେଇ ମଧ୍ୟ ଅଭିଯୋଗ ଉଠୁଛି। ତେଣୁ କେବଳ ମହୁଲ ପୋଚ ଓ ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ କରିଦେଲେ ଏହି ବେଆଇନ କାରବାରର ମୂଳୋତ୍ପାଟନ ସମ୍ଭବ ନୁହେଁ। ଏହା ପଛରେ ଥିବା ମୁଖ୍ୟ କାର୍ପଟଦାରମାନଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande