କନ୍ଧମାଳରେ ଭୂସ୍ଖଳନସ୍ଥଳରେ ନିଖୋଜଙ୍କ ସନ୍ଧାନ ପାଇଁ ଆଉ ଦୁଇ ଦିନ ଚାଲିବ ଉଦ୍ଧାର ଅଭିଯାନ:ପ୍ରଭାବିତ ପରିବାରବର୍ଗଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା:ମାଟି ତଳେ ଆଉ ଏବେ ବି ୧୧ ଶରୀର
Gedipapali Land Slide News and photo
ଫୋଟ ୩


ଫୋଟ ୨


ଫୋଟ


କନ୍ଧମାଳ , ୦୪ ନଭେମ୍ବର (ହି.ସ.) କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗିଡିପାବାଲି ଠାରେ ଘଟିଥିବା ଭୂସ୍ଖଳନ ଦୁର୍ଘଟଣାରେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟକୁ ନେଇ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ପ୍ରଭାବିତ ପରିବାରବର୍ଗଙ୍କ ସହ ଆଲୋଚନା କରିଛନ୍ତି। ଏହି ଦୁଃଖଦ ଘଟଣାରେ ସମଗ୍ର ଅଞ୍ଚଳବାସୀ ମର୍ମାହତ ଓ ସ୍ତବ୍ଧ ଥିବାବେଳେ, ପରିବାରବର୍ଗଙ୍କ ଦୁଃଖ, ମାନସିକ ସ୍ଥିତି ଓ ଭାବନାକୁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ହୃଦୟଙ୍ଗମ କରିଛି। ଏହି ଅବସରରେ ଏସ୍ପି ଓ ତହସିଲଦାର ମଧ୍ୟ ଉପସ୍ଥିତ ରହି ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କରିଥିଲେ। ଉଦ୍ଧାର କାର୍ଯ୍ୟରେ ଅତ୍ୟାଧୁନିକ ଯନ୍ତ୍ରପାତି, ଡ୍ରିଲ୍ ମେସିନ୍, ଜେନେରେଟର ଓ ସନ୍ଧାନୀ କୁକୁରଙ୍କୁ ନିୟୋଜିତ କରାଯାଇଛି। ବିଶେଷଜ୍ଞ ଦଳଙ୍କ ମତରେ, ଘଟଣାସ୍ଥଳରେ ତିନୋଟି ସ୍ତରରେ ଭୂସ୍ଖଳନ ହୋଇଥିବାରୁ ୩୦ ଫୁଟରୁ ଅଧିକ ଗଭୀରତାରେ ମାଟି, ପଥର ଓ ପାଣି ମଧ୍ୟରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ଏପରିକି ନିୟନ୍ତ୍ରିତ ବ୍ଲାଷ୍ଟିଂ ପରେ ମଧ୍ୟ ମାଟି ଓ ପଥର ଧସିବାର ଆଶଙ୍କା ରହିଥିବାରୁ ଉଦ୍ଧାରକାରୀ ଦଳଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି।ଦୀର୍ଘଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ପ୍ରଭାବିତ ପରିବାରବର୍ଗ ମାନସିକ ଭାବେ ଭାଙ୍ଗିପଡ଼ିଛନ୍ତି। ସେମାନଙ୍କ ଭାବନା ଓ ଆଶା-ଆଶଙ୍କାକୁ ଦୃଷ୍ଟିରେ ରଖି ପରିବାରର ନିଷ୍ପତ୍ତି ତଥା ପାରମ୍ପରିକ ରୀତିନୀତି ଅନୁଯାୟୀ ଆବଶ୍ୟକ ସମସ୍ତ ସହଯୋଗ ଓ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଆଶ୍ୱାସନା ଦେଇଛନ୍ତି। ନୂତନ ଏସ୍ଡିଆର୍ଏଫ୍ ନିୟମ ଅନୁଯାୟୀ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ସହ ପ୍ରଭାବିତ ପରିବାରଙ୍କ ଥଇଥାନ ନିମନ୍ତେ ମଧ୍ୟ ପଦକ୍ଷେପ ନିଆଯିବ। ପାଗ ଅନୁକୂଳ ନଥିବା ଏବଂ ବର୍ଷା ଯୋଗୁଁ ଉଦ୍ଧାର ଅଭିଯାନ ସାମୟିକ ଭାବେ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ଆଉ ଏକ ପର୍ଯ୍ୟାୟରେ ଶେଷ ପ୍ରୟାସ କରାଯିବ। ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ମିଳିତ ଦଳ ଆଗାମୀ ଦୁଇ ଦିନ ଧରି ସନ୍ଧାନ ଅଭିଯାନ ଜାରି ରଖିବେ। ନିଖୋଜ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ଉଦ୍ୟମ କରାଯିବ ବୋଲି ଜିଲ୍ଲାପାଳ ମଙ୍ଗଳବାର ରାତି ୧୦ଟା ବେଳେ ଏକ ପ୍ରେସ୍ଣ ବିବୃତ୍ତି ରେ ଗଣମାଧ୍ୟମ କୁ ଏହି ସୁଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande