

ସମ୍ବଲପୁର, ୦୪, ନଭେମ୍ବର (ହି.ସ) - ୧୦ ହଜାର ଟଙ୍କା ଲାଂଚ ନେଇ ଖସିଯିବାକୁ ଉଦ୍ୟମ କରି ପୋଖରୀକୁ ଡେଇଁଥିବା ଜଣେ ପୋଲିସ୍ ସବ୍ ଇନ୍ସପେକ୍ଟରକୁ ପିଛା କରି ଧରିଛି ଓଡ଼ିଶା ଭିଜିଲାନ୍ସ। ଗିରଫ ଏସ୍ଆଇ ଜଣକ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନାର ସୁଜିତ କୁମାର ମହାନ୍ତ ବୋଲି ଜଣାପଡିଛି । ସୂଚନାନୁଯାୟୀ ଏକ ମିସଲାନିୟସ୍ ମାମଲାର ଫାଇନାଲ୍ ରିପୋର୍ଟ ପ୍ରସ୍ତୁତ କରି ମାମଲାର ଫଇସଲା କରିବା ପାଇଁ ସେ ଅଭିଯୋଗକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଂଚ ଦାବି କରିଥିଲେ। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିବା ଅଭିଯୁକ୍ତ ଏସ୍ଆଇ ସୁଜିତ୍ ଆଜି ସନ୍ଧ୍ୟାରେ ଥାନା ବାହାରେ ଏକ ନିର୍ଜନ ସ୍ଥାନକୁ ଅଭିଯୋଗକାରୀଙ୍କୁ ଡାକି ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଲାଂଚ ଟଙ୍କା ଗ୍ରହଣ କରିଥିଲେ। ମାତ୍ର ୧୦ ହଜାର ଟଙ୍କା ଲାଂଚ ଦେବାରେ କ୍ଷମତା ନଥିବା ଅଭିଯୋଗକାରୀ ଜଣଙ୍କ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଲାଂଚ ଟଙ୍କା ଦେଣନେଣ ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍କୁ ଅଭିଯୁକ୍ତ ପୋଲିସ ଏସ୍ଆଇ ସୁଜିତ୍ ଦେଖିବା ମାତ୍ରେ ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା । ଭିଜିଲାନ୍ସ ଟିମ୍ ତା'ର ପିଛା କରିବାରୁ ସେ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲା । ପାଣିର ଗଭୀରତା କେତେ କେହି କିଛି ଜାଣିନଥିବା ଯୋଗୁଁ, କାଳେ ସୁଜିତ୍ ପାଣି ବୁଡି ମୃତ୍ୟୁବରଣ କରିବ ସେନେଇ ଭିଜିଲାନ୍ସ ଟିମ୍ର ଜଣେ ସଦସ୍ୟ ତୁରନ୍ତ ପୋଖରୀକୁ ଡେଇଁ ପହଁରି ପହଁରି ସୁଜିତକୁ ଉଦ୍ଧାର କରି କୂଳକୁ ଆଣିବା ପରେ ପ୍ୟାଂଟ୍ ପକେଟରେ ରଖିଥିବା ୧୦ ହଜାର ଲାଂଚ ଟଙ୍କା ଭିଜିଲାନ୍ସ ତାଙ୍କ ନିକଟରୁ ଜବତ କରିଥିଲା । ଏହି ଘଟଣା ପରେ ଆୟ ବହିର୍ଭୂତ ସମ୍ପତି ଦିଗରୁ ତାଙ୍କର ବିଭିନ୍ନ ଠିକଣାରେ ଯାଂଚ କରାଯାଉଛି। ଏହି ଯାଂଚ ସମୟରେ ଥାନା ପରିସରରେ ଥିବା ସୁଜିତଙ୍କ ବିଶ୍ରାମ କକ୍ଷରୁ ନଗଦ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ୨୧/୨୬ ରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏବେବି ଘଟଣାର ତଦନ୍ତ ଜାରି ରହିଛି । ୨୦୨୧ ମସିହାରେ ଅଭିଯୁକ୍ତ ସୁଜିତ କୁମାର ମହାନ୍ତ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୁଲିସ୍ ଏସ୍ଆଇ ଭାବେ ଚାକିରିରେ ଯୋଗ ଦେଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ