କେନ୍ଦୁପତ୍ର ଶ୍ରମିକଙ୍କ ୧୭ ଦଫା ଦାବୀ ନେଇ ଧାରଣା
ଜୟପୁର,୨୧ ଫେବୃଆରୀ(ହି.ସ.) – ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆହ୍ୱାନରେ ବୋରିଗୁମ୍ମା ଅଂଚଳରେ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳୀ, ସିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକମାନେ ବିଭିନ୍ନ ଦାବି ପୂରଣ ଦାବିରେ ଫେବୃଆରୀ ୨୦ ଓ ୨୧ ତାରିଖ ପର୍ଯ୍ୟନ୍ତ ବୋରିଗୁମ୍ମା ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ
କେନ୍ଦୁପତ୍ର ଶ୍ରମିକଙ୍କ ୧୭ ଦଫା ଦାବୀ ନେଇ ଧାରଣା


ଜୟପୁର,୨୧ ଫେବୃଆରୀ(ହି.ସ.) – ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆହ୍ୱାନରେ ବୋରିଗୁମ୍ମା ଅଂଚଳରେ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳୀ, ସିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକମାନେ ବିଭିନ୍ନ ଦାବି ପୂରଣ ଦାବିରେ ଫେବୃଆରୀ ୨୦ ଓ ୨୧ ତାରିଖ ପର୍ଯ୍ୟନ୍ତ ବୋରିଗୁମ୍ମା ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଶ୍ରମିକମାନଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ କର୍ତୃପକ୍ଷଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ପଦକ୍ଷେପ ଗ୍ରହଣ ହୋଇନାହିଁ। ଏହାକୁ ପ୍ରତିବାଦ କରି ସେମାନେ ଗଣଧାରଣା ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୁଖ୍ୟ ୧୭ଟି ଦାବୀମାନଙ୍କ ମଧ୍ୟରେ କେନ୍ଦୁପତ୍ର କେରି ଓ ବଣ୍ଡଲ ପ୍ରତି ଦର ବୃଦ୍ଧି, ସିଜିନାଲ କର୍ମଚାରୀଙ୍କ ମାସିକ ମଜୁରୀ ବୃଦ୍ଧି, ବୋନସ ହାର ବୃଦ୍ଧି, ମୃତ୍ୟୁକାଳୀନ ସହାୟତା ୪ ଲକ୍ଷ ଟଙ୍କାକୁ ବୃଦ୍ଧି, ରୋଗାକ୍ରାନ୍ତ ସମୟରେ ଛୁଟି ବ୍ୟବସ୍ଥା, ଖାଲି ପଦ ପୂରଣ ଓ ସାମାଜିକ ନିରାପତା ପାଇଁ ବଜେଟରେ ୨୦୦ କୋଟି ଟଙ୍କା ବ୍ୟବସ୍ଥା ଭଳି ଦାବି ସମ୍ବଳିତ ଅଛି। ସେହିପରି କେନ୍ଦୁପତ୍ର ଫଡି ଉଚ୍ଛେଦ ବନ୍ଦ, ପ୍ରସ୍ତାବିତ କିଛି ଡିଭିଜନରେ ପରୋକ୍ଷ ଘରୋଇକରଣ ବନ୍ଦ ଓ କଲ୍ୟାଣ ଟ୍ରଷ୍ଟ ବୋର୍ଡର ବୈଠକ ଶୀଘ୍ର ଆହ୍ୱାନ କରିବାକୁ ସଂଘ ଦାବି କରିଛି। ଧାରଣାସ୍ଥଳରେ ସଂଘର ପକ୍ଷରୁ କୁହାଯାଇଛି ଯେ ଯଦି ଆସନ୍ତା ୨୭ ତାରିଖ ମଧ୍ୟରେ ଦାବି ପୂରଣ ନହେବ ଆଗାମୀ ଦିନରେ କେନ୍ଦୁପତ୍ର ଉତ୍ପାଦନ ହେଉଥିବା ୨୨ଟି ଜିଲ୍ଲା ରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ଏବଂ ଜାତୀୟ ଓ ରାଜ୍ୟ ରାଜପଥରେ ରାସ୍ତାରୋକ ଆନ୍ଦୋଳନ କରିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।୧୭ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦୁପତ୍ର ରେଞ୍ଜରଙ୍କୁ ପ୍ରଦାନ କରାଯାଇଥିଲା। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଧାରଣାରେ ବୋରିଗୁମ୍ମା କେନ୍ଦୁପତ୍ର ବନାଂଚଳ ସଂଘର ସମ୍ପାଦକ ଲମ୍ବୋଦର ତ୍ରିପାଠୀ, ସହସମ୍ପାଦକ ପିତବାସ ଭତ୍ରା, ଅଜିତ ପଟ୍ଟନାୟକ, ସୁଶାନ୍ତ ତ୍ରିପାଠୀ, ପିତବାସ ସମରଥ, ଉପେନ୍ଦ୍ର ପୂଜାରୀ, ସିମାଂଚଳ ଶତପଥି, ପ୍ରମାନନ୍ଦ ଦାସଙ୍କ ସମେତ ସମସ୍ତ ଚେକର, ମୁନିସି ଓ ଫୋଡି ସାଥି ଏହି ଶାନ୍ତିପୂର୍ଣ୍ଣ ଧାରଣାରେ ଉପସ୍ଥିତ ରହିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande