
ଭଦ୍ରକ, ୨୧ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ବାମନବିନ୍ଧା ସମିତିରୁ ଗତ ସପ୍ତାହେ ହେଲା ମିଲରମାନେ ଧାନ ଉଠାଉ ନଥିବାରୁ ସ୍ଥାନୀୟ ଅଂଚଳର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।ଯାହାର ଫଳ ସ୍ୱରୂପ ଶନିବାର ସକାଳ ୮ଟାରୁ ଭଦ୍ରକ - ଚାନ୍ଦବାଲି ରାଜ୍ୟ ରାଜପଥର ପିରାହାଟ ପୁରୁଣା ବଜାର ଠାରେ ରାସ୍ତାଉପରେ ଧାନ ବସ୍ତାରଖି ରାସ୍ତା ଅବରୋଧକରି ଆନ୍ଦୋଳନ କରିବେବୋଲି ଚେତାବନୀ ଦେଇ ଡାକ ବାଜି ଯନ୍ତ୍ରରେ ପ୍ରଚାର କରିଥିଲେ । ଏହି ଖବର ପ୍ରଶାସନ ନିକଟରେ ପହଂଚି ଥିଲା। ମାତ୍ର ଆନ୍ଦୋଳନର ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ଧାନକ୍ରୟ ନୋଡାଲ ଅଧିକାରୀ ଦନେଇ ଚରଣ ଟୁଡୁ, ତହସିଲଦାର ଜୟଦ୍ରରଥ ଆଚାର୍ଯ୍ୟ,ବିଡ଼ିଓ ନିରଞ୍ଜନ ବାରିକ,ବ୍ଲକ ଯୋଗାଣ ନିରୀକ୍ଷକ ପ୍ରୀତିଶ ସାମଲ, ପିରାହାଟ ଥାନା ଆଇଆଇସି ରୋଜାଲିନ ବେହେରା ଓ ମିଲର୍ସ ପହଂଚି ଯାଇ ଚାଷୀଙ୍କୁ ବୁଝା ସୁଝା କରିଥିଲେ।ଯାହା ଫଳରେ ରାସ୍ତା ଅବରୋଧ ହୋଇପାରି ନଥିଲା । ପରେ ବିଡ଼ିଓ, ତହସିଲଦାର, ଜିଲା ନୋଡାଲ ଅଧିକାରୀ, ମିଲର ଏବଂ ବାମନବିନ୍ଧା, ହରସିଂହପୁର, ଦୌଲତପୁର ଓ ସାହାପୁରର ଚାଷୀମାନଙ୍କ ମଧ୍ୟରେ ସମିତିରୁ ମୁଖ୍ୟତଃ ଧାନ ଉଠୁନଥିବା ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସମିତି ସଭାପତି ରାଜେନ୍ଦ୍ର କୁମାର ଦାସ ଦର୍ଶାଇଥିଲେ ଯେ, ସମିତି ପରିସରରେ ୭ହଜାର କୁଇଂଟାଲ ଓ ସମିତି ବାହାରେ ୫ହଜାର ମୋଟ ୧୨ ହଜାର କୁଇଂଟାଲ ଧାନ ଖରା କାକରରେ ପଡ଼ି ରହିଛି କ୍ଷ ଧାନ ରଖିବାକୁ ଜାଗା ନଥିବାରୁ ବାଧ୍ୟହୋଇ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ବନ୍ଦ ରଖାଯାଇଛି । ମିଲରମାନେ ତୁରନ୍ତ ଧାନ ନଉଠାଇଲେ ପରିସ୍ଥିତି ଅଣାୟତ ହେବ ବୋଲି ସେ ସୂଚନା ଦେଇଥିଲେ । ତେବେ ମିଲରମାନେ ନିୟମିତ ଧାନ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହାକୁ ଲିଖିତ ଆକାରରେ ଦେବାକୁ ଚାଷୀମାନେ ଦାବି କରିଥିଲେ । ମଣ୍ଡିରେ ପଡ଼ିଥିବା ଧାନକୁ ଜରୁରୀକାଳୀନ ଭାବେ ଉଠାଯିବା, ସମିତି ସହ ଅଧିକ ମିଲ ଟ୍ୟାଗ କରାଯିବା, ଅନ୍ୟ ଜିଲାର ମିଲରମାନଙ୍କ ସହଯୋଗରେ ଧାନ ଉଠାଯିବା, କୌଣସି ଚାଷୀଙ୍କ ଟୋକନ ନକଟିବା ନେଇ ପ୍ରଶାସନ ଓ ମିଲର ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହି ଆଲୋଚନା ପରେ ୫ଟି ଟ୍ରକ ମଣ୍ଡିରୁ ଧାନ ଉଠାଇଥିବା ଏବଂ ରବିବାର ଠାରୁ ନିୟମିତ ଧାନ ଉଠାଯିବ ବୋଲି ସୂଚନା ଦିଆଯାଇଛି । ଏହି ଆଲୋଚନାରେ ସମିତି ସମ୍ପାଦକ ପ୍ରଭାତ କୁମାର ବେହେରା, ପୂର୍ବତନ ସଭାପତି ସଂଗ୍ରାମ କେଶରୀ ମହାନ୍ତି, ସରପଞ୍ଚ ଅଜୟ କୁମାର ମହାନ୍ତି, ପୂର୍ବତନ ସରପଂଚ ପ୍ରଫୁଲ୍ଲ ପାଢ଼ୀ, ପୂର୍ବତନ ସରପଂଚ ଅମର ଦାସ, କୃଷ୍ଣଚନ୍ଦ୍ର ମହାନ୍ତି, ପ୍ରବୋଧ ମହାନ୍ତି, ନରେନ୍ଦ୍ର ମିଶ୍ର, କାଶୀନାଥ ସେନାପତି, ବିଚିତ୍ରାନନ୍ଦ ବାରିକ, ଜଗନ୍ନାଥ ନାୟକ, ପଦ୍ମଲୋଚନ ବେହେରା ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ପଦ୍ମଲୋଚନ ବେହେରା,ଅକ୍ଷୟ ସେଠୀ, ମନୋରଞ୍ଜନ ବେହେରା,ରବିନ୍ଦ୍ର ମହାନ୍ତି,ବିଚିତ୍ର ମହାନ୍ତି,ନିଧିରାମ ସେଠୀ, ଭାଗିରଥି ମହାନ୍ତି,ଲଷ୍ମୀଧର ପାଣ୍ଡବ,ବିଜୟ ମହାନ୍ତି ପ୍ରମୁଖ ବହୁଚାଷୀ ଉପସ୍ଥିତଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ