
ଭଦ୍ରକ, ୨୧ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପିରାହାଟ ଥାନା ଅଧିନ ସିନ୍ଦୋଳ ଲଷ୍ମୀ ନାରାୟଣ ମହିଳା ସଂଘ ଧାନ ମଣ୍ଡିର ଚାଷୀମାନେ ଭଦ୍ରକ - ଚାନ୍ଦବାଲି ରାଜ୍ୟ ରାଜ୍ୟ ରାଜପଥର ସିନ୍ଦୋଳ ଠାରେ ଚକିତ ମାସ ୨୪ ତାରିଖରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିବେ ବୋଲି ଚାଷୀ ବୈଠକରେ ନିଷ୍ପତି ନିଆଯାଇଛି।ମିଲରଙ୍କୁ ଫୋନ କଲେ ଧରୁନାହାନ୍ତି । ସେମାନଙ୍କ ଅସହଯୋଗ ପାଇଁ ମଣ୍ଡିରେ ଧାନ ଭର୍ତି ହୋଇରହିଛି । ଜିଲାପାଳ ମଣ୍ଡି ପରିଦର୍ଶନ କରି ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ବି ମିଲର କିଛି ଶୁଣୁନାହାନ୍ତି ବୋଲି ଶନିବାର ତିହିଡି଼ ବ୍ଲକ ଅଧୀନ ସିନ୍ଦୋଳ ପଂଚାୟତ କାର୍ଯ୍ୟାଳୟ ନିକଟ ମଣ୍ଡି ସମ୍ମୁଖରେ ଅନୁଷ୍ଠିତ ବୈଠକରେ ଚାଷୀମାନେ ଏହି ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଛନ୍ତି । ସେମାନେ ଦର୍ଶାଇଥିଲେ ଯେ ସିନ୍ଦୋଳ ପଂଚାୟତର ଚାଷୀମାନଙ୍କ ଧାନ ଲଷ୍ମୀନାରାୟଣ ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ସଂଗ୍ରହ କରାଯାଉଛି । ଗୋଷ୍ଠି ଅଧୀନରେ ୫୩୮ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ଏବଂ ୨୮ହଜାର କୁଇଂଟାଲ ଧାନ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି । ସେହି ମଣ୍ଡି ସହ ୩ଟି ରାଇସମିଲକୁ ଟ୍ୟାଗ କରାଯାଇଥିଲେ ମଧ୍ୟ ସେମାନେ ଧାନ ଉଠାଉ ନଥିବାରୁ ମଣ୍ଡିରେ ଧାନ ଭର୍ତି ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଧାନ ସଂଗ୍ରହ ବନ୍ଦ ରଖାଯାଇଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏ ସମ୍ପର୍କରେ ଚାଷୀମାନେ ବିଭିନ୍ନ ସମୟରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ୧୬ତାରିଖ ସନ୍ଧ୍ୟାରେ ଜିଲାପାଳ ଦିଲୀପ ରାଉତରାଏ ମଣ୍ଡି ପରିଦର୍ଶନ କରିଥିଲେ । ମାତ୍ର ପରିସ୍ଥିତିରେ ସୁଧାର ଆସିନଥିବାରୁ ଆସନ୍ତା ୨୪ତାରିଖ ମଙ୍ଗଳବାର ଦିନ ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥକୁ ଅବରୋଧ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ପୂର୍ବତନ ସରପଂଚ ବୈକୁଣ୍ଠ ପାଣିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ପୂର୍ବତନ ସରପଂଚ ମୀନକେତନ ସେନାପତି, ସରୋଜ ନାୟକ, ପ୍ରଦୀପ ଦାସ, ଜଗବନ୍ଧୁ ରାଉଳ, କରୁଣାକର ନାୟକ, ଉମାକାନ୍ତ ନାୟକ, କାଳନ୍ଦୀ ପାଣି, ଦୀପକ ଦାସ, ଭାବଗ୍ରାହୀ ସ୍ୱାଇଁ, ଲଷ୍ମୀଧର ସ୍ୱାଇଁ, ଶ୍ରୀଧର ବାରିକ, ଗୟାଧର ମଲ୍ଲିକ, ଚକ୍ରଧର ସ୍ୱାଇଁ,ଜଗବନ୍ଧୁ ପରିଆରୀ,ନରେନ୍ଦ୍ର ପରିଆରୀ,ଅକ୍ଷୟ ମଲ୍ଲିକ,ବଳରାମ ମଲ୍ଲିକ ପ୍ରମୁଖ ଚାଷୀମାନେ ଯୋଗଦେଇଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ