
ବାରାଣସୀ, ୧ ମାର୍ଚ୍ଚ (ହି.ସ.)- ରବିବାର ଉତର ପ୍ରଦେଶର ଧାର୍ମିକ ସହର ବାରାଣସୀ (କାଶୀ)ରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ୟ ଗ୍ରାମ ଡୋମରୀ ସୁଜାବାଦରେ ପ୍ରାୟ ୩୫୦ ଏକର ଜମିରେ ବିକଶିତ ହେଉଥିବା ଆଧୁନିକ ସହରୀ ଜଙ୍ଗଲରେ ମାତ୍ର ଗୋଟିଏ ଘଂଟାରେ ୨ ଲକ୍ଷ ୫୦ ହଜାରରୁ ଅଧିକ ବୃକ୍ଷ ରୋପଣ କରି ଏହି ପବିତ୍ର ସହର ଚୀନର ବୃକ୍ଷରୋପଣ ରେକର୍ଡ ଭାଙ୍ଗିଛି । ଏହି କାର୍ଯ୍ୟକ୍ରମରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଏକ ଟିମ୍ ମଧ୍ୟ ଏଠାରେ ଉପସ୍ଥିତ ଥିଲା ।
ନଗର ନିଗମ ମେୟର ଅଶୋକ କୁମାର ତିୱାରୀ ଏବଂ ନଗର କମିଶନର ହିମାଂଶୁ ନାଗପାଲଙ୍କ ନେତୃତ୍ୱରେ ଏହି ଐତିହାସିକ ପ୍ରକଳ୍ପ ସକାଳ ୯ଟା ୧୧ ରେ ଆରମ୍ଭ ହୋଇଥିଲା ଏବଂ ସକାଳ ୧୦ଟା ୧୧ ରେ ସମାପ୍ତ ହୋଇଥିଲା । ବାରାଣସୀ ନଗର ନିଗମ ନେତୃତ୍ୱରେ ମିୟାୱାକି କୌଶଳ ବ୍ୟବହାର କରି ଲଗାଯାଇଥିବା ଗଛ ଗଣନା ଏପର୍ଯ୍ୟନ୍ତ ଜାରି ରହିଛି । ଏହି ଐତିହାସିକ ମୁହୂର୍ତକୁ ରେକର୍ଡ କରିବା ପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ ଟିମ୍ ମଧ୍ୟ ଏଠାରେ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଚୀନ୍ ରେ ଗୋଟିଏ ଘଂଟାରେ ୧ ଲକ୍ଷ ୫୩ ହଜାର ୯୮୧ଟି ବୃକ୍ଷ ରୋପଣ କରି ଏକ ବିଶ୍ୱ ରେକର୍ଡ ସ୍ଥାପନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ