
କୋଚି, 11 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଅଖିଳ କେରଳ ଧୀବର
ସଭାର ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବକୁ ସମ୍ବୋଧନ କରି କହିଛନ୍ତି ଯେ, ଗତ ୫୦ ବର୍ଷ ଧରି
ଏହି ସଂଗଠନ ମାଛଧରା ସମୁଦାୟର ଅଧିକାର ସୁରକ୍ଷା ପାଇଁ ନିରନ୍ତର କାମ କରୁଛି। ସେ ସମସ୍ତ ମତ୍ସ୍ୟଜୀବୀ
ଏବଂ ଧୀବର ସଭାର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର ଅବଦାନକୁ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେରଳର ଲୋକମାନେ ଦୀର୍ଘ ସମୟ ଧରି ରାଜ୍ୟର ନାମକୁ
“କେରଳମ୍” କରିବାକୁ ଦାବି କରୁଥିଲେ। କେନ୍ଦ୍ରର ଏନ୍ଡିଏ ସରକାର ଏହାକୁ ଅନୁମୋଦନ କରିବା ପରେ
ରାଜ୍ୟର ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଯାଇଛି। ସେ କହିଛନ୍ତି ଯେ, ଏହି ସୁନ୍ଦର
ରାଜ୍ୟଟିକୁ ମଲୟାଳୀ ସଂସ୍କୃତିଙ୍କ ସହ ସମଞ୍ଜସ ତାହାର ସଠିକ୍ ନାମ ମିଳିଛି ଏବଂ ଏହିପାଇଁ ସେ
ରାଜ୍ୟର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେରଳରେ ହୋଇଥିବା ଭୟଙ୍କର ବନ୍ୟା ସମୟରେ ସମଗ୍ର ଦେଶ
ମାଛଧରା ସମୁଦାୟର ସାହସ ଓ ସେବାଭାବକୁ ଦେଖିଥିଲା। ମତ୍ସ୍ୟଜୀବୀମାନେ ଫସିଥିବା ଲୋକମାନଙ୍କୁ
ଉଦ୍ଧାର କରିବା ଓ ଆବଶ୍ୟକ ଜିନିଷ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଏହି
କାରଣରୁ ସମଗ୍ର ଦେଶ ମାଛଧରା ସମୁଦାୟର ସାହସ ଓ ସମର୍ପଣକୁ ସମ୍ମାନ ସହ ସ୍ମରଣ କରେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା