ମାରାଗୁଡ଼ା ଲୋକମହୋତ୍ସବ–୨୦୨୬ ଉଦ୍ଘାଟିତ
ନୂଆପଡ଼ା, ୧ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲାର ଇତିହାସ, ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ “ମାରାଗୁଡ଼ା ଲୋକମହୋତ୍ସବ–୨୦୨୬” ଆଜି ଭବ୍ୟ ମଶାଲ ଶୋଭାଯାତ୍ରା ସହ ଶୁଭାରମ୍ଭ ହୋଇଯାଇଛି। ସକାଳେ କଣାଭଏଁରା ମନ୍ଦିର ଓ ସାଲିହା ସ୍ମୃତି ସ୍ତମ୍ଭରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ଜିଲ୍ଲାପାଳଙ୍କ
Maraguda mahoschav inauguration


ନୂଆପଡ଼ା, ୧ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲାର ଇତିହାସ, ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ “ମାରାଗୁଡ଼ା ଲୋକମହୋତ୍ସବ–୨୦୨୬” ଆଜି ଭବ୍ୟ ମଶାଲ ଶୋଭାଯାତ୍ରା ସହ ଶୁଭାରମ୍ଭ ହୋଇଯାଇଛି। ସକାଳେ କଣାଭଏଁରା ମନ୍ଦିର ଓ ସାଲିହା ସ୍ମୃତି ସ୍ତମ୍ଭରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ଥିଲା। ପରେ ମଶାଲ ସହ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ଯାହା ମେଘା ହୋଟେଲ ମାର୍ଗ ହୋଇ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ପହଞ୍ଚିଥିଲା। ଏଥିରେ ବିଭିନ୍ନ ଦଳ ପକ୍ଷରୁ ଲୋକନୃତ୍ୟ ଓ ସାଂସ୍କୃତିକ ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା।

ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ବିଧାୟକ ଜୟ ଢ଼ୋଲକିଆ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ସିଡିଓ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ନୂଆପଡ଼ା, ଖଡିଆଳ , କୋମନା ବ୍ଲକ ଅଧ୍ୟକ୍ଷା, ଖରିଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଅନ୍ୟାନ୍ୟ ନିର୍ବାଚିତ ଜନ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ସମାଜସେବୀ, ଜନସାଧାରଣ ଲୋକ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଶୋଭାଯାତ୍ରା ମହୋତ୍ସବ ସ୍ଥଳ ପହଞ୍ଚିବା ପରେ ମଞ୍ଚ ପୂଜନ ଓ ପତାକା ଉତ୍ତୋଳନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହାପରେ ନେସନାଲ ମହାବିଦ୍ୟାଳୟ ସଭାଗୃହରେ ଏକ ସାରସ୍ୱତ ସଭା ଓ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ସନ୍ଧ୍ୟା ଘ. ୦୫.୩୦ ଟିକା ସମୟରେ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ ହୋଇଥିବା ବେଳେ ପରେ ପରେ ସାଂସ୍କୃତିକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ମହୋତ୍ସବର ପ୍ରଥମ ଦିନରେ ଆୟୋଜିତ ଏହି ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲାବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଥିଲା। ସମଗ୍ର କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମାରାଗୁଡ଼ା ଅଞ୍ଚଳର ପୁରାତନ ଐତିହ୍ୟ ସହିତ ଜିଲ୍ଲାର ଲୋକକଳା ଲୋକସଂସ୍କୃତିକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପାଞ୍ଚଦିନିଆ ମହୋତ୍ସବ ଏପ୍ରିଲ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ଚାଲିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜିଲ୍ଲାବାସୀଙ୍କୁ ଏହି ଲୋକମହୋତ୍ସବରେ ସକ୍ରିୟ ଭାବେ ଯୋଗଦେଇ ଏହାକୁ ସଫଳ କରିବାକୁ ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande