
ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ବିଜେଡି ଶାସନ ବେଳେ ଦାନ ମାଝୀ ଘଟଣାରେ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଥିଲା। ସେତେବେଳେ ବିରୋଧୀ ଦଳ ଥିବା ବିଜେପି ବିଧାନସଭାରେ ହଟ୍ଟଗୋଳଠୁ ନେଇ ରାଜରାସ୍ତାରେ ତମ୍ବିତୋଫାନ କରିଥିଲା। ଓଡ଼ିଶାକୁ ବିଜେପି ଶାସନ କରିବାର ଇତିମଧ୍ୟରେ ଦୁଇବର୍ଷ ପୂରିବାକୁ ଯାଉଛି। ଅଥଚ ରାଜ୍ୟର ଗଣଦାରିଦ୍ର୍ୟ ଆହୁରି ଉତ୍କଟ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରର ପାଟଣା ଥାନା ଅନ୍ତର୍ଗତ ମଲ୍ଲୀପଶିରେ ଯାହା ଘଟିଲା, ଏକବିଂଶ ଶତାବ୍ଦୀରେ ବିଶ୍ୱର ଅନ୍ୟତ୍ର କେଉଁଠି ଏପରି ଅଭାବନୀୟ ଘଟଣା ଘଟେନାହିଁ। ଏଥିପାଇଁ ରାଜ୍ୟବାସୀଙ୍କ ମୁଣ୍ଡ ଲଜ୍ଜାରେ ନଇଁଯାଉଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।
ଏକ ପ୍ରେସ ବିବୃତିରେ ଶ୍ରୀ ଦାସ କହିଛନ୍ତି, ମହିଳା ସଂରକ୍ଷଣକୁ ନେଇ ପୂରା ଦମ୍ ରେ ରାଜନୀତିରେ ମାତିଥିବା ବିଜେପି ସରକାର ‘ଜନ ଆକ୍ରୋଶ’ ରାଲି ଛାଡ଼ି ରାଜ୍ୟରୁ ଗଣଦାରିଦ୍ର୍ୟ ଦୂର କରିବାକୁ ପ୍ରାଥମିକତା ଦିନ୍ତୁ; ନହେଲେ ଆଗକୁ ଜନ ଆକ୍ରୋଶର ସମ୍ମୁଖୀନ ହେବେ ବୋଲି ସେ ସତର୍କ କରାଇଦେଇଛନ୍ତି। ଉକ୍ତ ପରିବାରକୁ ତୁରନ୍ତ ଅନ୍ୟୁନ ୧୦ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ଦେବା ସହ ଗ୍ରାମାଂଚଳରେ ଥିବା ବ୍ୟାଙ୍କଗୁଡ଼ିକର ସେବାରେ ଆଖିଦୃଶିଆ ଉନ୍ନତି ଆଣିବା ଦିଗରେ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରିବାକୁ ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ପିସିସି ପକ୍ଷରୁ ମୁଖପାତ୍ର ଡ.ମନିଷା ଦାସ ପଟ୍ଟନାୟକ ଏହି ଘଟଣାରେ ମହିଳା ଥାନାରେ ଏତଲା ଦେବା ସହ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା