
ଚମ୍ପୁଆ, , 29 ଏପ୍ରିଲ୍ (ହି.ସ.) ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସ୍ୱାସ୍ଥ୍ୟସେବା ବିଭାଗ ପକ୍ଷରୁ କରାଯାଉଥିବା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ସରକାରୀ ଖାତାଖତିଆନରେ ଲକ୍ଷ ଲକ୍ଷ ଟଙ୍କାର କାମ ସରିଥିବା ଦର୍ଶାଯାଇଥିବା ବେଳେ, ବାସ୍ତବ କ୍ଷେତ୍ରରେ କୌଣସି ନୂତନ କାର୍ଯ୍ୟ ହୋଇନଥିବା ଜଣାପଡ଼ିଛି। ଓଡ଼ିଶା ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ଅର୍ଡର ନଂ. ୨୫୩୫୫ ଡିଏଚଏସ - ପିଡି - ଏମଆଇଏସସି - ୦୦୨୬-୨୦୨୪, ତାରିଖ: ୨୦/୦୯/୨୪ ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ର ପି.ଏଚ. 'ନନ ରେସିଡେନ୍ସିଆଲ ବିଲଡିଙ୍ଗ' କାର୍ଯ୍ୟ ପାଇଁ ପ୍ରଶାସନିକ ଅନୁମୋଦନ ମିଳିଥିଲା। ତଥ୍ୟ ଅନୁସାରେ, ହସ୍ପିଟାଲ ମ୍ୟାନେଜରଙ୍କ ଅଫିସ୍ ପାଇଁ ଏକ ନୂତନ ଶୌଚାଳୟ ନିର୍ମାଣ ନିମନ୍ତେ ପ୍ରାୟ ୪,୯୮,୬୧୭ ଟଙ୍କା ବ୍ୟୟବରାଦ ହୋଇଥିଲା। ଏହା ସହିତ ଅନ୍ୟାନ୍ୟ ପିଏଚ୍ କାମ ପାଇଁ ସମୁଦାୟ ୬୨,୧୭,୩୦୦ ଟଙ୍କାର ହିସାବ କାଗଜପତ୍ରରେ ଦର୍ଶାଯାଇଥିବା ଶୁଣିବାକୁ ମିଳୁଛି। ଅଭିଯୋଗ ହେଉଛି ଯେ, ମ୍ୟାନେଜରଙ୍କ ଅଫିସରେ ଯେଉଁ ନୂତନ ଶୌଚାଳୟ ପାଇଁ ପ୍ରାୟ ୪,୯୮,୬୧୭ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି, ସେଠାରେ କୌଣସି ନୂତନ ଶୌଚାଳୟ ନିର୍ମାଣ କରାଯାଇ ନ ଥିବାବେଳେ ପୂର୍ବରୁ ଥିବା ପୁରୁଣା ଶୌଚାଳୟକୁ ହିଁ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ, ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ମଧ୍ୟ କେବଳ ଫାଇଲ୍ ଭିତରେ ସୀମିତ ଥିବା ବିଭିନ୍ନ ମହଲରୁ ଅଭିଯୋଗ ହେଉଛି। ଏ ସମ୍ପର୍କରେ ହସ୍ପିଟାଲ ମ୍ୟାନେଜରଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେବା ବଦଳରେ ଏ ବିଷୟରେ ମୁଁ କିଛି କହିପାରିବି ନାହିଁ କହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି। ଯାହା ଏହି ଦୁର୍ନୀତି ସନ୍ଦେହକୁ ଆହୁରି ଦୃଢ଼ କରୁଛି। ବିନା କାମରେ ସରକାରୀ ପାଣ୍ଠିକୁ ହଡ଼ପ କରିବା ପଛରେ କେଉଁ ବିଭାଗୀୟ ଅଧିକାରୀ ବା ଠିକାଦାରଙ୍କ ହାତ ରହିଛି, ତାହା ସାଧାରଣରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଏହା ଉପରେ ତଦନ୍ତ ହୁଏ, ତେବେ ଏକ ବଡ଼ ଧରଣର ଆର୍ଥିକ ହେରଫେର ପଦାକୁ ଆସିବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ତେଣୁ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦାଧିକାରୀ ଓ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ହସ୍ତକ୍ଷେପ କରି ଏହାର ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta