
ଚେନ୍ନାଇ, ମେ ୧୬ (ହି.ସ.) - ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍. ଇଇଟି.) କୁ ବାତିଲ କରିବା ଦାବିରେ ଶନିବାର ଦିନ ତାମିଲନାଡ଼ୁରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦ୍ରାବିଡ଼ କଡ଼ଗମଙ୍କ ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଆନ୍ଦୋଳନ କରାଯାଇଥିଲା, ଯେଉଁଥିରେ ବହୁ ସଂଖ୍ୟକ ଛାତ୍ର, ପିତାମାତା ଏବଂ ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକର୍ତା ଯୋଗ ଦେଇଥିଲେ।
ଚେନ୍ନାଇର ଏଗମୋରସ୍ଥିତ ରାଜାରଥିନମ୍ ଗ୍ରାଉଣ୍ଡ ନିକଟରେ ଅନୁଷ୍ଠିତ ମୁଖ୍ୟ ବିକ୍ଷୋଭ ପ୍ରଦର୍ଶନର ନେତୃତ୍ୱ ନେଇଥିଲେ ଦ୍ରାବିଡ଼ କଡ଼ଗମ ସଭାପତି କେ. ବୀରାମଣି। ବିକ୍ଷୋଭକାରୀମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ଏନ୍. ଇଇଟି. ପରୀକ୍ଷାକୁ ସ୍ଥାୟୀ ଭାବେ ବାତିଲ କରିବାକୁ ଦାବି କରିଥିଲେ।
ଦ୍ରାବିଡ଼ କଡ଼ଗମ ନେତାମାନେ ଅଭିଯୋଗ କରିଛନ୍ତି ଯେ ନିଟ୍ ପରୀକ୍ଷା ଗ୍ରାମାଂଚଳ ଏବଂ ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଛାତ୍ରମାନଙ୍କ ପାଇଁ ଅସମାନ ସୁଯୋଗ ସୃଷ୍ଟି କରେ । ଏହି ସଙ୍ଗଠନ କହିଛି ଯେ ପ୍ରତିବର୍ଷ ପ୍ରକାଶ ପାଉଥିବା କଥିତ ପରୀକ୍ଷା ଅନିୟମିତତା ଏବଂ ପୁନଃପରୀକ୍ଷା ନିଷ୍ପତି ଛାତ୍ରଛାତ୍ରୀଙ୍କ ମାନସିକ ଚାପ ଏବଂ ଭବିଷ୍ୟତ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ