
ଝାରସୁଗୁଡ଼ା , 06 ମେ (ହି.ସ.)-ଝାରସୁଗୁଡ଼ା ଜିଲ୍ଲାରେ ଧାନ କିଣାକୁ ନେଇ ଚାଷୀମାନଙ୍କ ସମସ୍ୟା ଦିନକୁ ଦିନ ଗଭୀର ରୂପ ନେଉଛି। ଖରିଫ ଋତୁର ଧାନ ବିକ୍ରି ସମସ୍ୟା ଅବଶ୍ୟ ଶେଷ ହୋଇନଥିବାବେଳେ, ଏବେ ରବି ଧାନ ପଞ୍ଜିକରଣ ପ୍ରକ୍ରିୟାକୁ ନେଇ ଜିଲ୍ଲା କୃଷକ ସଂଗଠନ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି।
ବୁଧବାର ଏକ ସ୍ଥାନୀୟ ହୋଟେଲରେ ଆୟୋଜିତ ପ୍ରେସ ସମ୍ମେଳନରେ ସଂଗଠନର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଯେ, ସ୍ଥାନୀୟ ବିଧାୟକ ଚାଷୀମାନଙ୍କ ଦୁର୍ଦଶା ପ୍ରତି ଗୁରୁତ୍ୱ ଦେଉନାହାନ୍ତି। ସଂଗଠନର ସଭାପତି ଦିଲିପ ବଢ଼େଇଙ୍କ କହିବା ଅନୁଯାୟୀ, ମଙ୍ଗଳବାର ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି (DLPC) ବୈଠକରେ ଚାଷୀ ପ୍ରତିନିଧିମାନେ ଧାନ କିଣା ସମସ୍ୟା ଉପରେ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ବିଧାୟକ ଟଙ୍କଧର ତ୍ରିପାଠୀ ଏହାର ସମାଧାନ ନେଇ କୌଣସି ସ୍ପଷ୍ଟ ଉତ୍ତର ନଦେଇ, ପ୍ରାୟ ଅଧଘଣ୍ଟା ଧରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା କରି ବୈଠକ ଶେଷ କରିଥିବା ଅଭିଯୋଗ ହୋଇଛି।
ସଂଗଠନ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଚଳିତ ରବି ଋତୁ ପାଇଁ କେବଳ ୨,୩୪୬ ଜଣ ଚାଷୀ ପଞ୍ଜିକରଣ କରିପାରିଛନ୍ତି, ଯେଉଁଥିରେ ପ୍ରାୟ ୮୦ ପ୍ରତିଶତ ଚାଷୀ ପଞ୍ଜିକରଣରୁ ବଞ୍ଚିତ ରହିଛନ୍ତି। ଖରିଫ ଋତୁରେ ମଧ୍ୟ ଟାର୍ଗେଟ ଅଭାବରୁ ଅନେକ ଚାଷୀ ଧାନ ବିକ୍ରି କରିପାରିନଥିଲେ। ପୁଣିଥରେ ସରକାର ଟାର୍ଗେଟ ଦେଇଥିଲେ ସୁଦ୍ଧା ଜିଲ୍ଲାରେ କେବଳ ୩ ଜଣ ଚାଷୀଙ୍କୁ ଟୋକନ ମିଳିଥିବା ସଂଗଠନ ଦାବି କରିଛି।
ଏହା ସହିତ, ସମ୍ବଲପୁରର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝାରସୁଗୁଡ଼ା ଜିଲ୍ଲାର ଆଭ୍ୟନ୍ତରୀଣ ବିଷୟରେ ହସ୍ତକ୍ଷେପକୁ ନେଇ ସଂଗଠନ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ପଞ୍ଜିକରଣରୁ ବଞ୍ଚିତ ଚାଷୀମାନେ ନିଜର ଧାନ କେଉଁଠି ବିକ୍ରି କରିବେ, ସେନେଇ ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିମାନେ ଶୀଘ୍ର ସ୍ପଷ୍ଟୀକରଣ ଦେବାକୁ ସଂଗଠନ ଦାବି କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ