
ତଦନ୍ତରେ ଯୋଗଦେବା ପାଇଁ ଅଭିଯୁକ୍ତମାନଙ୍କୁ ମଧ୍ୟ ନୋଟିସ୍ ପଠାଯାଇଥିଲା
ଗୁରୁଗ୍ରାମ, ୧୭ ଜୁନ୍(ହି.ସ.) – ଷ୍ଟାଣ୍ଡଅପ୍ କମେଡିଆନ୍ ପ୍ରଣୀତ ମୋରେ ଏବଂ ୱେବ୍ ଡେଭଲପର୍ ହିମାଂଶୁ ଜାଙ୍ଗ୍ରା ଏକ ଷ୍ଟାଣ୍ଡଅପ୍ କମେଡି ଶୋ ସମୟରେ ଭାଇରାଲ ହୋଇଥିବା ୩୭୦ ବିରିୟାନୀ ବିଷୟବସ୍ତୁକୁ ନେଇ ସମସ୍ୟାରେ ପଡ଼ିଛନ୍ତି। ଜାତୀୟ ମହିଳା ଆୟୋଗ(ଏନସିଡବ୍ଲୁ) ମହିଳାମାନଙ୍କ ଉପରେ କଥିତ ଅଶୋଭନୀୟ ଏବଂ ଲିଙ୍ଗ ଆଧାରିତ ମନ୍ତବ୍ୟ ଉପରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି। ହରିୟାଣା ପୋଲିସ ମହାନିର୍ଦ୍ଦେଶକ(ଡିଜିପି)ଙ୍କୁ ଜାତୀୟ ମହିଳା ଆୟୋଗଙ୍କ ଦ୍ୱାରା ଲିଖିତ ଏକ ଚିଠିକୁ ଧ୍ୟାନରେ ରଖି ଗୁରୁଗ୍ରାମ ପୋଲିସ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ କରିଛି। ଏହି ମାମଲାରେ ପୋଲିସ ଅନେକ ଗମ୍ଭୀର ଏବଂ ଜାମିନ ବିହୀନ ଧାରା ଲାଗୁ କରିଛି।
ଜାତୀୟ ମହିଳା ଆୟୋଗ ତାଙ୍କ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ ଯୌନ ନିର୍ଯ୍ୟାତନା, ଉଗ୍ର ଜାତୀୟତାବାଦୀ ମାନସିକତା ଏବଂ ମହିଳାଙ୍କ ସମ୍ମତିର ଉଲ୍ଲଂଘନକୁ କମେଡି ଭାବରେ ଉପସ୍ଥାପନ କରିବା ମହିଳାଙ୍କ ମର୍ଯ୍ୟାଦା ଉପରେ ଏକ ଗୁରୁତର ଆକ୍ରମଣ। ଏହାକୁ ମର୍ଯ୍ୟାଦା ଏବଂ ନିରାପଦ ପରିବେଶରେ ବଂଚିବାର ମହିଳାଙ୍କ ମୌଳିକ ଅଧିକାରର ଉଲ୍ଲଂଘନ ବୋଲି କହି ଆୟୋଗ ଏହି ପ୍ରସଙ୍ଗରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ସମସ୍ତ ଡିଜିଟାଲ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଏହି ବିବାଦୀୟ ବିଷୟବସ୍ତୁ ହଟାଇବାକୁ ପୋଲିସ ସମ୍ପୃକ୍ତ କମ୍ପାନୀମାନଙ୍କୁ ଏକ ଚିଠି ମଧ୍ୟ ପଠାଇଛି। ‘ଦ ଲାଫ ଷ୍ଟୋର’ର ଜଣେ ମ୍ୟାନେଜରଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି