
ଚଣ୍ଡୀଗଡ଼/ ଭୁବନେଶ୍ୱର, ୨୫ ଜୁନ୍ (ହି.ସ)- ‘ଏମରଜେନ୍ସି’ ଥିଲା ସମ୍ବିଧାନକୁ କ୍ଷୁର୍ଣ୍ଣ କରିବାର କଳା ଅଧ୍ୟାୟ । କେବଳ କ୍ଷମତା ଏବଂ ପରିବାର ମୋହରେ ଅନ୍ଧ ହୋଇ କଂଗ୍ରେସ ସମ୍ବିଧାନକୁ କ୍ଷତିଗ୍ରସ୍ତ କରିବା ସହ ଏବଂ ସମଗ୍ର ଦେଶକୁ ଏକ କାରାଗାରରେ ପରିଣତ କରିଥିଲୋ ବୋଲି ଗୁରୁବାର ଚଣ୍ଡୀଗଡ଼ ଠାରେ ଆୟୋଜିତ ‘ସମ୍ବିଧାନ ହତ୍ୟା ଦିବସ’ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୧୯୭୫ ମସିହା ଜରୁରୀକାଳୀନ ସ୍ଥିତିର ସେହି ଅନ୍ଧକାରମୟ କାଳଖଣ୍ଡକୁ ମନେ ପକାଇବା ସହ କଂଗ୍ରେସର ଏକଛତ୍ରବାଦୀ ମାନସିକତା ଉପରେ ସମାଲୋଚନା କରିଛନ୍ତି ଶ୍ରୀ ପ୍ରଧାନ । ଜରୁରୀକାଳୀନ ପରିସ୍ଥିତିର ୫୧ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜରୁରୀକାଳୀନ ସମୟରେ ଅମାନୁଷିକ ନିର୍ଯାତନା ସହି ମଧ୍ୟ ଦେଶର ଗଣତନ୍ତ୍ରକୁ ଜୀବିତ ରଖିବା ପାଇଁ ସଂଗ୍ରାମ କରିଥିବା ଗଣତନ୍ତ୍ରର ପ୍ରହରୀମାନଙ୍କୁ ସମ୍ମାନିତ କରିଥିଲେ । ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ସମ୍ବିଧାନର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବା, ନାଗରିକ ଅଧିକାରକୁ ବନ୍ଧକ ରଖିବା ଏବଂ କିଶୋର କୁମାର ଓ ଲତା ମଙ୍ଗେସକରଙ୍କ ଭଳି ମହାନ କଳାକାରମାନଙ୍କ ସ୍ୱର ଉପରେ ପ୍ରତିବନ୍ଧକ ଲଗାଇବାର ନାମ ଥିଲା ‘ଏମରଜେନ୍ସି’। ଏହି ସମ୍ବିଧାନ ବିରୋଧୀ ଲୋକଙ୍କର ନିର୍ବାଚନ ପ୍ରକ୍ରିୟା ଠାରୁ ଆରମ୍ଭ କରି ନ୍ୟାୟପାଳିକା ପର୍ଯ୍ୟନ୍ତ କୌଣସି ସାମ୍ବିଧାନିକ ବ୍ୟବସ୍ଥା ଉପରେ କେବେ ବି ବିଶ୍ୱାସ ନଥିଲା । କେବଳ କ୍ଷମତା ଏବଂ ପରିବାର ମୋହରେ ଅନ୍ଧ ହୋଇ ଏହି ଲୋକମାନେ ସମ୍ବିଧାନକୁ କ୍ଷତିଗ୍ରସ୍ତ କରିଥିଲେ ଏବଂ ସମଗ୍ର ଦେଶକୁ ଏକ କାରାଗାରରେ ପରିଣତ କରି ଆମ ନାଗରିକମାନଙ୍କ ସ୍ୱାଧୀନତା ଉପରେ କୁଠାରଘାତ କରିଥିଲେ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ଦିନେ ଇଣ୍ଡିଆ ହିଁ ଇନ୍ଦିରା, ଇନ୍ଦିରା ହିଁ ଇଣ୍ଡିଆ’ ଭଳି ମାନସିକତା ସେମାନଙ୍କର ଏକଛତ୍ରବାଦୀ ଚିନ୍ତାଧାରାର ପ୍ରତୀକ ଥିଲା । ବର୍ତ୍ତମାନ ସମୟରେ ରାହୁଲ ଗାନ୍ଧୀଙ୍କ ସମେତ ସମଗ୍ର କଂଗ୍ରେସ ଦଳ ସେହି ସମାନ ଚିନ୍ତାଧାରାକୁ ଆଗକୁ ବଢ଼ାଉଛନ୍ତି। ଶ୍ରୀ ପ୍ରଧାନ ଜୋର୍ ଦେଇ କହିଛନ୍ତି ଯେ ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଆଜି ଯେତେବେଳେ ଦେଶ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ବିକଶିତ ଭାରତ ୨୦୪୭ର ସଂକଳ୍ପ ଆଡ଼କୁ ଅଗ୍ରସର ହେଉଛି, ସେତେବେଳେ ଆପାତକାଳ ଭଳି ଘୃଣ୍ୟ ଚିନ୍ତାଧାରାକୁ ପ୍ରତ୍ୟାଖ୍ୟାନ କରିବା ଜରୁରୀ। ଏଥିପାଇଁ ‘ସମ୍ବିଧାନ ହତ୍ୟା ଦିବସ’କୁ ମନେ ରଖିବା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଜନସଚେତନତାକୁ ଅଧିକ ସଶକ୍ତ କରିବା ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି ।
ଏହି ଅବସରରେ ସେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ସୌଦାନ ସିଂହ, ଚଣ୍ଡୀଗଡ଼ ବିଜେପି ରାଜ୍ୟ ସଭାପତି ଶ୍ରୀ ଜେ.ପି. ମଲହୋତ୍ରା, ରାଜ୍ୟସଭା ସାଂସଦ ଶ୍ରୀମତୀ ରେଖା ଶର୍ମା ଏବଂ ଚଣ୍ଡୀଗଡ଼ର ମେୟର ଶ୍ରୀ ସୌରଭ ଯୋଶୀଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ କାର୍ଯ୍ୟକ୍ରମରେ ସହଭାଗୀ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା