ଏଫଏମ୍ ନେଟୱର୍କର ବିସ୍ତାର ଆକାଶବାଣୀର ପ୍ରାଥମିକତା : ରାଜୀବ କୁମାର ଜୈନ
ଏକ ସମୟ ଥିଲା, ଯେତେବେଳେ ବିଲରୁ ଆରମ୍ଭ କରି ଘର ଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଆକାଶବାଣୀର ସ୍ୱର ଶୁଭୁଥିଲା । ସେତେବେଳେ ଲାଗୁଥିଲା ଯେ ସଙ୍ଗୀତର ତରଙ୍ଗରେ ସମଗ୍ର ଦେଶ ଝୁମୁଛି। ଯେତେବେଳେ କୌଣସି ସମାଚାର କିମ୍ବା ବାର୍ତା ପ୍ରସାରଣ କରାଯାଉଥିଲା, ସେତେବେଳେ ମନେ ହେଉଥିଲା ଯେ ସେହି ବାର୍ତ
ରାଜୀବ କୁମାର ଜୈନ


ଏକ ସମୟ ଥିଲା, ଯେତେବେଳେ ବିଲରୁ ଆରମ୍ଭ କରି ଘର ଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଆକାଶବାଣୀର ସ୍ୱର ଶୁଭୁଥିଲା । ସେତେବେଳେ ଲାଗୁଥିଲା ଯେ ସଙ୍ଗୀତର ତରଙ୍ଗରେ ସମଗ୍ର ଦେଶ ଝୁମୁଛି। ଯେତେବେଳେ କୌଣସି ସମାଚାର କିମ୍ବା ବାର୍ତା ପ୍ରସାରଣ କରାଯାଉଥିଲା, ସେତେବେଳେ ମନେ ହେଉଥିଲା ଯେ ସେହି ବାର୍ତା ମାଧ୍ୟମରେ ଦେଶକୁ ସମ୍ବୋଧନ କରାଯାଉଛି।

ଆକାଶବାଣୀ ଏପର୍ଯ୍ୟନ୍ତ ତାହାର ଯାତ୍ରାରେ ସମାଚାର ଓ ସୂଚନା ପ୍ରଦାନ କରିଆସିଛି। ସଙ୍କଟକାଳୀନ ସମୟରେ ଦେଶକୁ ସଚେତନ ମଧ୍ୟ କରିଛି। କୃଷିକାର୍ଯ୍ୟରୁ ଆରମ୍ଭ କରି ଶିକ୍ଷାକ୍ଷେତ୍ର ସମ୍ବନ୍ଧୀୟ ଆବଶ୍ୟକ ଓ ଉପକାରୀ ସୂଚନାମାନେ ମଧ୍ୟ ଦେଇଛି, ଏବଂ ଲୋକମାନଙ୍କୁ ମନୋରଞ୍ଜନ ମଧ୍ୟ କରିଛି।

ତାହାର ସହଜ ଉପଲବ୍ଧତା ଓ ପ୍ରଯୁକ୍ତିର ମାଧ୍ୟମରେ ଦେଶର ପ୍ରତ୍ୟେକ ଶ୍ରେଣୀ, ପ୍ରତ୍ୟେକ ବୟସର ଲୋକଙ୍କ ପାଇଁ ଆକାଶବାଣୀର ସ୍ୱର ଶୁଣିବାକୁ ମିଳିଛି ।

ଆକାଶବାଣୀ ତାହାର ସ୍ଥାପନା ୮ ଜୁନ୍ ୧୯୩୬ ରୁ ଆରମ୍ଭ ହୋଇ ଦେଶର ଧଡ଼କନ୍ ଭାବେ ରହିଆସିଛି। ଏହି ଆକାଶବାଣୀ ୮ ଜୁନ୍ ୨୦୨୬ ରେ ତାହାର ଗୌରବମୟ ଯାତ୍ରାର ୯୦ ବର୍ଷ ପୂରଣ କରିବାକୁ ଯାଉଛି। ଅନ୍ୟ ଶବ୍ଦରେ କହିଲେ, ଆକାଶବାଣୀ ଆମ ୯୦ ବର୍ଷର ଏକ ସହଯାତ୍ରୀ। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ହିନ୍ଦୁସ୍ଥାନ ସମାଚାର ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନଙ୍କ ସହ ଏକ ବିଶେଷ ସାକ୍ଷାତକାର କରିଛି। ଏଠାରେ ସଞ୍ଜୀବ କୁମାରଙ୍କ ସହ ସାକ୍ଷାତକାରର ପ୍ରମୁଖ ଅଂଶଗୁଡ଼ିକ ଉପସ୍ଥାପିତ କରାଯାଉଛି।

ଆକାଶବାଣୀର ୯୦ ବର୍ଷର ଗୌରବମୟ ଯାତ୍ରା ପାଇଁ ଆପଣଙ୍କୁ ଅଭିନନ୍ଦନ। ଆକାଶବାଣୀ ଏପର୍ଯ୍ୟନ୍ତ ଅନେକ ସୋପାନ ଅତିକ୍ରମ କରିଛି। ଏହି ଅବସରରେ ଆପଣ କ’ଣ କହିବାକୁ ଚାହିଁବେ?

ମହାନିର୍ଦ୍ଦେଶକ – ଆପଣଙ୍କୁ ମଧ୍ୟ ଅଭିନନ୍ଦନ। ଆକାଶବାଣୀକୁ ଏଠାପର୍ଯ୍ୟନ୍ତ ପହଞ୍ଚାଇବାରେ ଆମ ପ୍ରୋଗ୍ରାମ୍ ପ୍ରଯୋଜକ, ଟେକ୍ନିସିଆନ୍ ଓ ଇଞ୍ଜିନିୟରମାନଙ୍କ ସହିତ ଏହା ସହ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ଅବଦାନ ରହିଛି। କିନ୍ତୁ ଇଞ୍ଜିନିୟର ହୁଅନ୍ତୁ କିମ୍ବା ଆମ ପ୍ରତିଭାଶାଳୀ ଓ ଯୋଗ୍ୟ ପ୍ରୋଗ୍ରାମ୍ ସୃଷ୍ଟିକାରୀମାନେ, କିମ୍ବା ଟେକ୍ନିସିଆନ , ସେମାନେ ନିଜର ସମ୍ପୂର୍ଣ୍ଣ ଶକ୍ତି ଦେଶକୁ ସୂଚନା-ସମୃଦ୍ଧ କରିବା, ରାଷ୍ଟ୍ରର ମନୋରଞ୍ଜନ କରିବା, ଆମ ସଙ୍ଗୀତ, ଗାୟନ ଓ ବାଦନ ପରି ଲଳିତ କଳାକୁ ବିଶ୍ୱରେ ପରିଚିତ କରାଇବାରେ ଲଗାଇଛନ୍ତି।

ସେମାନେ ଏହା ସବୁ ଦେଶ ପାଇଁ, ଦେଶବାସୀଙ୍କ ପାଇଁ କରିଛନ୍ତି। ତେଣୁ ଆକାଶବାଣୀର ନବେ ବର୍ଷର ଏହି ଯାତ୍ରା କେବଳ ଆକାଶବାଣୀ, ପ୍ରସାର ଭାରତୀ କିମ୍ବା ତାହାର କର୍ମଚାରୀ, ଅଧିକାରୀ, ଟେକ୍ନିସିଆନ୍ ଓ ପ୍ରୋଗ୍ରାମ୍ ସୃଷ୍ଟିକାରୀମାନଙ୍କ ପାଇଁ ମାତ୍ର ଗର୍ବର କ୍ଷଣ ନୁହେଁ, ବରଂ ସମଗ୍ର ଦେଶ ପାଇଁ ଗୌରବର ବିଷୟ।

ବିଶେଷ କଥା ହେଉଛି, ଦେଶବାସୀମାନେ ମଧ୍ୟ ଆକାଶବାଣୀକୁ ନିଜର ଏକ ସହଯାତ୍ରୀ ଭାବେ ଗ୍ରହଣ କରିଛନ୍ତି। ସେମାନେ ଏହାକୁ ଭଲପାଇଛନ୍ତି ଏବଂ ସମ୍ମାନ କରିଛନ୍ତି। ଲୋକମାନଙ୍କର ଏହି ସ୍ନେହର କାରଣରୁ ହିଁ ଆମେ ଏହି ସୋପାନ ପର୍ଯ୍ୟନ୍ତ ପହଞ୍ଚିପାରିଛୁ।

ଆକାଶବାଣୀର ୯୦ ବର୍ଷର ଯାତ୍ରାକୁ ଆପଣ କେଉଁ ଦୃଷ୍ଟିରେ ଦେଖନ୍ତି?

ମହାନିର୍ଦ୍ଦେଶକ – ନବେ ବର୍ଷ ପୂର୍ବେ ଯେତେବେଳେ ଭାରତୀୟ ପରିଦୃଶ୍ୟରେ ‘ଅଲ୍ ଇଣ୍ଡିଆ ରେଡିଓ’ ଭାବେ ରେଡିଓର ଆଗମନ ହୋଇଥିଲା, ସେତେବେଳେ ଏହା ଏକ ନୂତନ ମାଧ୍ୟମ ଥିଲା। ୮ ଜୁନ୍ ୧୯୩୬ ରେ ଯେତେବେଳେ ଏହାର ସ୍ଥାପନା ହୋଇଥିଲା, ସେତେବେଳେ ଏହାକୁ ‘ଅଲ୍ ଇଣ୍ଡିଆ ରେଡିଓ’ ନାମରେ ହିଁ ଜଣାଯାଉଥିଲା। ୧୯୫୬ ମସିହାରେ ପଣ୍ଡିତ ନରେନ୍ଦ୍ର ଶର୍ମାଙ୍କ ପରାମର୍ଶରେ ଏହାର ନାମ ‘ଆକାଶବାଣୀ’ ରଖାଯାଇଥିଲା।

ଯେତେବେଳେ ‘ଅଲ୍ ଇଣ୍ଡିଆ ରେଡିଓ’ ସ୍ଥାପିତ ହୋଇଥିଲା, ସେତେବେଳେ ଆଜିର ଭଳି ଖବରକାଗଜଗୁଡ଼ିକ ଚକମକ ନ ଥିଲେ ଓ ସେମାନଙ୍କର ମୁଦ୍ରଣ ଆଜିର ଭଳି ସୁରୁଚିପୂର୍ଣ୍ଣ ନ ଥିଲା। ଏପରି ପରିସ୍ଥିତିରେ ମୂଳତଃ ପ୍ରଯୁକ୍ତିନିର୍ଭର ରେଡିଓ ମାଧ୍ୟମର ଆଗମନ ଲୋକମାନଙ୍କ ପାଇଁ ପ୍ରଥମେ କୌତୁହଳର ବିଷୟ ହୋଇଥିଲା।

ଯେତେବେଳେ ଏହାର ମାଧ୍ୟମରେ ଦେଶର ଦୂରଦୂରାନ୍ତ ଅଞ୍ଚଳର ଘର, କାର୍ଯ୍ୟାଳୟ, ବିଲ , ବଗିଚା ଆଦିରେ ଲୋକମାନଙ୍କ ପାଖକୁ ଧ୍ୱନି ପହଞ୍ଚିବା ଆରମ୍ଭ ହେଲା, ସେତେବେଳେ ଏହାକୁ ଲୋକମାନେ ଉତ୍ସାହର ସହ ଗ୍ରହଣ କଲେ।

ପ୍ରଥମେ ରେଡିଓ ମାଧ୍ୟମରେ ସୂଚନା ଓ ସମାଚାର ପ୍ରସାରଣ କରାଯାଉଥିଲା, କିନ୍ତୁ କ୍ରମେ ଏହାରେ ସଙ୍ଗୀତ ଓ ନାଟକ ଭଳି କାର୍ଯ୍ୟକ୍ରମମାନେ ମଧ୍ୟ ସମ୍ମିଳିତ ହେଲା। ଆରମ୍ଭରେ ରେଡିଓ ସେଟ୍ ବଡ଼ ଥିବାରୁ ସବୁଙ୍କ ପାଇଁ ସେଗୁଡ଼ିକ କିଣିବା କଷ୍ଟକର ଥିଲା। ଆରମ୍ଭରେ ରେଡିଓ ପାଇଁ ଲାଇସେନ୍ସ ଶୁଳ୍କ ମଧ୍ୟ ଥିଲା। ପ୍ରାରମ୍ଭିକ ସମୟରେ ରେଡିଓ ପ୍ରସାରଣ ଓ କାର୍ଯ୍ୟକ୍ରମ ନିର୍ମାଣ ପ୍ରଯୁକ୍ତି ଜଟିଳ ଥିଲା। ତଥାପି ଏହା ଏକ ନୂତନ ଏବଂ ଆଶ୍ଚର୍ଯ୍ୟଜନକ ମାଧ୍ୟମ ଥିବାରୁ ଲୋକମାନଙ୍କ ମଧ୍ୟରେ ଏହା ପ୍ରତି ଆକର୍ଷଣ ବଢ଼ିଲା।

ପରେ କ୍ରମେ ପ୍ରସାରଣ ଓ ରିସିଭର ପ୍ରଯୁକ୍ତିରେ ସୁଧାର ହେଲା, ସସ୍ତା ଟ୍ରାଞ୍ଜିଷ୍ଟର ରେଡିଓ ଲୋକଙ୍କ ପାଖକୁ ପହଞ୍ଚିଲା ଏବଂ ଆକାଶବାଣୀକୁ ଲୋକମାନେ ଆତ୍ମୀୟତାର ସହ ଗ୍ରହଣ କଲେ।ଦେଖିଦେଖି ରେଡିଓ ଦେଶର ହୃଦୟ ହୋଇଉଠିଲା।

ଆକାଶବାଣୀରେ ଗୀତ-ସଙ୍ଗୀତରୁ ଆରମ୍ଭ କରି ସମାଚାର ପର୍ଯ୍ୟନ୍ତ ଅନେକ ପ୍ରସାରଣ ହୁଏ। ଏହାର ପ୍ରସାରଣ ଏବଂ ଚୟନ ସମ୍ବନ୍ଧୀୟ ନୀତି କ’ଣ?

ମହାନିର୍ଦ୍ଦେଶକ – ଆକାଶବାଣୀର ଧ୍ୟେୟ ବାକ୍ୟ ହେଉଛି ‘ବହୁଜନ ହିତାୟ, ବହୁଜନ ସୁଖାୟ’। ଅର୍ଥାତ୍ ଅଧିକରୁ ଅଧିକ ଲୋକଙ୍କ ହିତ ଏବଂ ଅଧିକରୁ ଅଧିକ ଲୋକଙ୍କ ସୁଖ ପାଇଁ କାର୍ଯ୍ୟ କରିବା।ଅନ୍ୟ ଭାବରେ କହିଲେ, ଆକାଶବାଣୀର ଉଦ୍ଦେଶ୍ୟ ହେଉଛି ସମାଜର ସର୍ବାଧିକ ଲୋକଙ୍କ ହିତ ଏବଂ ଆନନ୍ଦକୁ ଧ୍ୟାନରେ ରଖି ପ୍ରସାରଣ କରିବା। ଯେଉଁଥି ଗୀତ-ସଙ୍ଗୀତ କାର୍ଯ୍ୟକ୍ରମ ହେଉ କିମ୍ବା ସମାଚାର—ସମସ୍ତର ପଛରେ ଏହି ଚିନ୍ତାଧାରା କାମ କରେ।

ସମାଚାର ସମ୍ବନ୍ଧରେ କହିବାକୁ ଗଲେ, ଆକାଶବାଣୀର ଧ୍ୟେୟ ହେଉଛି ଶୀଘ୍ର ଭୁଲ ସମାଚାର ପ୍ରସାରଣ କରିବା ଅ ପେକ୍ଷା ସଠିକ୍ ଓ ନିର୍ଭୁଳ ସମାଚାର ପ୍ରସାରଣ କରିବା। ସମାଚାର ଚୟନରେ ଆମେ ସଦା ଏହି କଥାକୁ ଧ୍ୟାନରେ ରଖୁଛୁ।

ଯେପର୍ଯ୍ୟନ୍ତ ସମାଚାରର ପୁଷ୍ଟି ହୋଇନଥାଏ, ସେପର୍ଯ୍ୟନ୍ତ ଆକାଶବାଣୀ ତାହା ପ୍ରସାରଣ କରେନାହିଁ। ବିଶ୍ୱସନୀୟତା ହିଁ ଆମର ପରିଚୟ ।

ଏହାସହିତ ପ୍ରତ୍ୟେକ ପ୍ରସାରଣରେ ମଧ୍ୟ ଆମେ ଏହି ତଥ୍ୟକୁ ସଦା ଧ୍ୟାନରେ ରଖୁଛୁ।

ଆଜି ଆମେ ଇଣ୍ଟରନେଟ୍ ଯୁଗରେ ଅଛୁ। କ୍ରମେ ସମୟ ସହିତ ଯୋଗାଯୋଗ ମାଧ୍ୟମଗୁଡ଼ିକର ବିକାଶ ହେଉଛି। ଏପରି ପରିସ୍ଥିତିରେ ଆକାଶବାଣୀ ନିଜର ପ୍ରସଙ୍ଗିକତାକୁ ବଜାୟ ରଖିବା ପାଇଁ କ’ଣ କରୁଛି?

ମହାନିର୍ଦ୍ଦେଶକ – କାରଣ ରେଡିଓ ଏକ ସହଜ ମାଧ୍ୟମ, ଏହା ମାଧ୍ୟମରେ ସୂଚନାଗୁଡ଼ିକୁ ତତକ୍ଷଣାତ ଦୂରସ୍ଥ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଇହେବ। ତେଣୁ ଆଜି ମଧ୍ୟ ଆପାତକାଳୀନ ପରିସ୍ଥିତିରେ ଏହା ସବୁଠାରୁ ସହଜ ଏବଂ ବିଶ୍ୱସନୀୟ ମାଧ୍ୟମ ରହିଛି। ମୁଁ କହିପାରିବି ଯେ ଆକାଶବାଣୀର ଏହି ଶକ୍ତି ହିଁ ଏହାର ମୂଳ ବଳ। ଆଜି ଇଣ୍ଟରନେଟ୍‌ର ପ୍ରଭାବ ବହୁତ ବଢ଼ିଛି। ଇଣ୍ଟରନେଟ୍‌ରେ କନଭର୍ଜେନ୍ସ ମାଧ୍ୟମରେ ଆଜି ସମସ୍ତ ମାଧ୍ୟମ ଖବରକାଗଜ, ରେଡିଓ ଏବଂ ଟେଲିଭିଜନ ଏକେ ସ୍ଥାନରେ ଉପଲବ୍ଧ ହେଉଛି।

ରେଡିଓର କଥା ଯେତେବେଳେ ହୁଏ, ଆମ ସମ୍ମୁଖରେ କେବଳ ଧ୍ୱନିକେନ୍ଦ୍ରିତ ମାଧ୍ୟମର ଛବି ଆସେ। ଆକାଶବାଣୀ ଏବେ ମଧ୍ୟ ପାରମ୍ପରିକ ପ୍ରଯୁକ୍ତି ମାଧ୍ୟମରେ ରେଡିଓ ସେଟ୍‌ ଦ୍ୱାରା ଉପଲବ୍ଧ ଅଛି, କିନ୍ତୁ ସମୟ ସହିତ ଏହା ନୂତନ ରୂପରେ ମଧ୍ୟ ଉପଲବ୍ଧ ହେଉଛି।

ଏବେ ଆକାଶବାଣୀ ପଡକାଷ୍ଟ୍ ମଧ୍ୟ କରୁଛି। ଆକାଶବାଣୀ ଇଣ୍ଟରନେଟ୍ ପ୍ଲାଟଫର୍ମରେ ଉପଲବ୍ଧ ଅଛି। ପାରମ୍ପରିକ ଅଡିଓ ମାଧ୍ୟମ ଭାବେ ରହିବା ସହିତ ସୋସିଆଲ୍ ମିଡିଆ ଯଥା ଟ୍ୱିଟର, ଫେସବୁକ୍, ଇନ୍ଷ୍ଟାଗ୍ରାମ୍ ଇତ୍ୟାଦିରେ ମଧ୍ୟ ଏହା ଉପଲବ୍ଧ ଅଛି। ସେହିପରି ଯୁଟ୍ୟୁବ୍‌ରେ ମଧ୍ୟ ଆମର ଚ୍ୟାନେଲଗୁଡ଼ିକ କାମ କରୁଛି। ପ୍ରତ୍ୟେକ ସ୍ଥାନରେ ରେଡିଓ ପ୍ରସାରଣ ହେଉଛି। ନିଶ୍ଚୟ ଏହି ସବୁ ପ୍ରସାରଣ ପାରମ୍ପରିକ ପ୍ରସାରଣର ଭଳି ନୁହେଁ, କିନ୍ତୁ ସେଥିଠାରୁ ଭିନ୍ନ ମଧ୍ୟ ନୁହେଁ। ପାରମ୍ପରିକ ପ୍ରସାରଣରେ ଏକଥର ସମାଚାର କିମ୍ବା ସୂଚନା ଶୁଣିବାରୁ ଯଦି କେହି ବଞ୍ଚିଯାନ୍ତି, ତେବେ ପୁନଃ ଶୁଣିବା କଷ୍ଟକର ହୁଏ, କିନ୍ତୁ ଇଣ୍ଟରନେଟ୍‌ର ଗତି ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ନିର୍ଦ୍ଧାରିତ ସମୟରେ ପ୍ରସାରିତ ସମାଚାର ଓ କାର୍ଯ୍ୟକ୍ରମକୁ ପରେ ମଧ୍ୟ ଶୁଣିପାରାଯାଏ।

ଏବେ ଆମର ‘ନ୍ୟୁଜ୍ ଅନ୍ ଏଆଇଆର’ ଆପ୍‌ରେ ଆପଣ ଆକାଶବାଣୀର ପ୍ରାୟ ସମସ୍ତ ଚ୍ୟାନେଲ୍ ଶୁଣିପାରିବେ। ଆଜି ଆକାଶବାଣୀ ଦେଶର ୨୩ଟି ଭାଷା ଏବଂ ୧୮୩ଟି ଉପଭାଷାରେ ଲଗାତାର ପ୍ରସାରଣ କରୁଛି। ସେହିପରି ବିଦେଶ ସେବା ବିଭାଗ ମାଧ୍ୟମରେ ୧୬ଟି ବିଦେଶୀ ଏବଂ ୧୧ଟି ଭାରତୀୟ ଭାଷାରେ ପ୍ରସାରଣ କରାଯାଉଛି।

ବଦଳୁଥିବା ପରିବେଶରେ ସଂସ୍ଥାର ପ୍ରମୁଖ ଭାବେ ଆକାଶବାଣୀକୁ ଆଗକୁ ନେବା ପାଇଁ ଆପଣଙ୍କ ଯୋଜନାଗୁଡ଼ିକ କ’ଣ?

ମହାନିର୍ଦ୍ଦେଶକ – ଆମର ଚେଷ୍ଟା ହେଉଛି ଏଫଏମ୍ ନେଟୱର୍କର ବିସ୍ତାର, ଷ୍ଟୁଡିଓର ଆଧୁନିକୀକରଣ ଏବଂ ସମ୍ବଳ ଗୁଡିକର ସୁଚିନ୍ତିତ ଓ ସଠିକ୍ ବ୍ୟବହାର କରିବା। ଗତ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାଧ୍ୟମରେ ରେଡିଓ ଷ୍ଟେସନଗୁଡ଼ିକୁ ପ୍ରାଦେଶିକ ଚ୍ୟାନେଲ୍ ଭାବେ ପୁନଃସଂଗଠିତ କରାଯାଇଛି। ସେହି ସହିତ ପ୍ରାଦେଶିକ ଚ୍ୟାନେଲ୍ ମୁଖ୍ୟମାନଙ୍କୁ ପ୍ରଶାସନିକ ଏବଂ ଆର୍ଥିକ ଅଧିକାର ଦିଆଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାଧ୍ୟମରେ ପ୍ରଶାସନିକ ଓ ଆର୍ଥିକ ଅଧିକାରର ବିକେନ୍ଦ୍ରୀକରଣ କରାଯାଇଛି।

ଏହାର ଉଦ୍ଦେଶ୍ୟ ହେଉଛି ରେଡିଓ ଷ୍ଟେସନଗୁଡ଼ିକୁ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ନିର୍ମାଣ ପାଇଁ ଅଧିକ ସ୍ୱାୟତ୍ତତା ଦେବା, ଯାହା ଫଳରେ ପ୍ରାଦେଶିକ ଚ୍ୟାନେଲଗୁଡ଼ିକ ସ୍ଥାନୀୟ ଆକାଙ୍କ୍ଷା ପୂରଣ କରିପାରିବେ ଏବଂ ଆର୍ଥିକ ଭାବେ ଅଧିକ ସକ୍ଷମ ହେବେ।

ଏହାସହିତ ଆକାଶବାଣୀ ପାଖରେ ଅତ୍ୟନ୍ତ ସମୃଦ୍ଧ ଏକ ଅଡିଓ ସଂଗ୍ରହ ରହିଛି, ଯେଉଁଥିରେ ଅନେକ ପ୍ରସିଦ୍ଧ କଳାକାରଙ୍କ ସଙ୍ଗୀତ ରେକର୍ଡିଂ, ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ସାକ୍ଷାତ୍କାର ଏବଂ ଦେଶର ମହତ୍ତ୍ୱପୂର୍ଣ୍ଣ ଘଟଣାବଳୀ ଉପରେ ଟିପ୍ପଣୀ ଆଦି ସମ୍ମିଳିତ ଅଛି।

ଏହି ସମ୍ପୂର୍ଣ୍ଣ ସଂଗ୍ରହକୁ ଡିଜିଟାଲାଇଜ୍ କରିବାର ଯୋଜନା ରହିଛି। ସେହି ସହିତ ଏହାକୁ ଯୁଟ୍ୟୁବ୍, ୱେବ୍ ଏବଂ ଓଟିଟି ମାଧ୍ୟମରେ ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାର ଉଦ୍ଦେଶ୍ୟ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande