
ଚମ୍ପୁଆ, ୪ ଜୁଲାଇ (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗ୍ରାମପଞ୍ଚାୟତର ଭଣ୍ଡା ଗ୍ରାମର ମୁଖ୍ୟ ବଜାର ଛକପରି ଏକ ସମ୍ବେଦନଶୀଳ ସ୍ଥାନରେ ଚାଲିଥିବା ଏକ ବିଦେଶୀ ମଦ ଦୋକାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି। ଏହି ମଦ ଦୋକାନ ଯୋଗୁଁ ଅଞ୍ଚଳର ଶାନ୍ତି ଶୃଙ୍ଖଳା ବ୍ୟାହତ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ଉକ୍ତ ମଦ ଦୋକାନର ଅତି ନିକଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନ ରହିଛି। ସେଗୁଡିକ ମଧ୍ୟରେ ଭଣ୍ଡା ଡାକ୍ତରଖାନା ଏବଂ ପଶୁ ଚିକିତ୍ସାଳୟ ସହିତ ଆର.ଆଇ. ଅଫିସ୍, ଜଙ୍ଗଲ ବିଭାଗ କାର୍ଯ୍ୟାଳୟ, କୃଷି ବିଭାଗ କାର୍ଯ୍ୟାଳୟ, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ଡାକ ବଙ୍ଗଳା ଏବଂ ଏକ ପବିତ୍ର ଶିବ ମନ୍ଦିର ରହିଛି। ଅନ୍ୟପକ୍ଷରେ ଏହି ମଦ ଦୋକାନ ନିକଟରେ କଂସରା (କ) ପ୍ରାଥମିକ ବିଦ୍ୟାଳୟ ଓ ଭଣ୍ଡା-କଂସରା ଉଚ୍ଚ ବିଦ୍ୟାଳୟ ଅବସ୍ଥିତ। ପ୍ରତିଦିନ ଶତାଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ ପାଇଁ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ମାତ୍ର ମଦ୍ୟପଙ୍କ ଅଶ୍ଳୀଳ ଆଚରଣ ଏବଂ ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଭିଭାବକ ଏବଂ ଶିକ୍ଷକମାନେ ନିଜ ପିଲାମାନଙ୍କ ସୁରକ୍ଷାକୁ ନେଇ ସଦାସର୍ବଦା ଚିନ୍ତାରେ ରହୁଛନ୍ତି।
ଏହି ମଦ ଦୋକାନକୁ ଜନବସତି ଏବଂ ଶିକ୍ଷାନୁଷ୍ଠାନଠାରୁ ଦୂରକୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ବାସିନ୍ଦା ପୂର୍ବରୁ ଅନେକ ଥର ପ୍ରଶାସନ ନିକଟରେ ଦାବୀ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ, ଆଜି ପର୍ଯ୍ୟନ୍ତ ପ୍ରଶାସନ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ନିରବଦ୍ରଷ୍ଟା ସାଜିଛି। ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପ୍ରଶାସନର ଏଭଳି ଉଦାସୀନ ମନୋଭାବ ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ରୋଧ ଏବଂ ଅସନ୍ତୋଷ ଦ୍ୱିଗୁଣିତ ହେବାରେ ଲାଗିଛି। ଯଦି ଶୀଘ୍ର ଏହି ମଦ ଦୋକାନକୁ ସ୍ଥାନାନ୍ତର କରାନଯାଏ, ତେବେ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣ ଓ ମହିଳା ସଂଗଠନ ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / Trinath Mahanta