
ମାଲକାନଗିରି,୧୨ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଗମୁକା ପଞ୍ଚାୟତ ଅନ୍ତର୍ଗତ ଏମପିଭି-୧୧ ଗ୍ରାମରେ ଗତ କିଛି ମାସ ତଳେ 'ଏକ ପେଡ ମାଁ କେ ନାମ' ଅଭିଯାନରେ ଲଗାଯାଇଥିବା ଚାରା ଏବେ ପ୍ରାୟ ନଷ୍ଟ ହୋଇଯାଇଥିବା ବେଳେ ପୁରୁଣା କାମକୁ ବର୍ତ୍ତମାନ ଏନଏମଏମଏସ କରି 'ଭି ଜି-ରାମ ଜି ଯୋଜନା'ରେ ଅର୍ଥ ଲୁଟ୍ କରାଯାଉଥିବା ଗୁରୁତର ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛି ମାସ ପୂର୍ବେ ଏକ ପେଡ ମାଁ କେ ନାମ ଯୋଜନାରେ ଏମପିଭି-୧୧ ଗ୍ରାମ ବିଦ୍ୟାଳୟ ସମେତ ପଞ୍ଚାୟତ ର ଅନ୍ୟ ବିଦ୍ୟାଳୟ ରେ ବୃକ୍ଷରୋପଣ କରାଯାଇଥିଲା । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ଚାରା ଶୁଖି ନଷ୍ଟ ହୋଇଯାଇଛି । ଏହି କାମର ନାମଫଳକ ମଧ୍ୟ ଏବେ ଲିଭି ଯାଇଛି । ଅଭିଯୋଗ ହେଉଛି ଯେ, ସେହି ପୁରୁଣା ଏବଂ ନଷ୍ଟ ହୋଇସାରିଥିବା କାମକୁ ବର୍ତ୍ତମାନ ପୁଣି ଏନଏମଏମଏସ କରି 'ଭିଜି-ରାମ ଜି ଯୋଜନା'ରେ ନୂଆ କାମ ଭଳି ଦେଖାଯାଇ ଅର୍ଥ ହରିଲୁଟ ପାଇଁ ମସୁଧା ଚାଲିଥିବା ଅଭିଯୋଗ ହେଉଛି । ଏହି ଘଟଣା ପରେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅଞ୍ଚଳବାସୀ ତୁରନ୍ତ ଏହାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଯୋଜନା ଆରମ୍ଭରୁ ହିଁ କିଛି ଅସାଧୁ ଲୋକ ଦୁର୍ନୀତି କରୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏ ବିଷୟରେ କାଲିମେଳା ଏପିଓଙ୍କୁ ଯୋଗାଯୋଗ କରିବାରୁ ,ଯାହା ଗଛ ନଷ୍ଟ ହୋଇଯାଇଛି ସେ ସବୁ ଗଛ ପୁଣି ଲଗାଯିବାର ଯୋଜନା ରହିଛି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ