ହିର୍ମା–କଣ୍ଟାଟିକ୍ରା ରାସ୍ତା ବେହାଲ: ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି
Demands for road construction
Demands for road construction


ଝାରସୁଗୁଡ଼ା, ୧୨, ଅଗଷ୍ଟ (ହି.ସ.) -: ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ହିର୍ମା ଛକରୁ କଣ୍ଟାଟିକ୍ରାକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ହେଲା ଅବ୍ୟବସ୍ଥାର ଶିକାର। ପ୍ରାୟ ୧ କିଲୋମିଟର ରାସ୍ତାର ଅବସ୍ଥା ଏତେ ଦୟନୀୟ ହୋଇପଡ଼ିଛି ଯେ ବର୍ଷା ହେଲେ ଏହା କାଦୁଅମୟ ହୋଇ ଯାତାୟାତ ପ୍ରାୟ ଦୁର୍ବିଷହ ହୋଇଯାଉଛି। ଏହି ରାସ୍ତା ଉପରେ ହିର୍ମା, ତରେଇକେଲା, କୁମ୍ଭାରୀ, କାଲୋପତ୍ରା ଓ ରାଉତବନ୍ଧ ଆଦି ଗ୍ରାମର ଲୋକେ ନିର୍ଭରଶୀଳ। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଦୈନନ୍ଦିନ କାମରେ ସହର କିମ୍ବା ସମ୍ବଲପୁର ଯାଉଥିବା ଲୋକଙ୍କ ପାଇଁ ବିଜୁ ଏକ୍ସପ୍ରେସ୍-ୱେରେ ପହଞ୍ଚିବାକୁ ଏହି ରାସ୍ତା ଗୁରୁତ୍ୱପୂର୍ଣ୍ଣ। ରାସ୍ତାର ଦୁରବସ୍ଥା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ତୁରନ୍ତ ଏହାର ମରାମତି କରାଯିବା ସହ ଆବଶ୍ୟକସ୍ଥଳେ ନୂତନ ରାସ୍ତା ନିର୍ମାଣ ପାଇଁ ଦାବି ହୋଇଛି। ଲୋକଙ୍କ ସମସ୍ୟା ପ୍ରତି ପ୍ରଶାସନ କେତେବେଳେ ଗୁରୁତ୍ୱ ଦେବ ଏବଂ ରାସ୍ତା ମରାମତି ପାଇଁ ପଦକ୍ଷେପ ନେବ, ତାହାକୁ ନେଇ ଅଞ୍ଚଳବାସୀ ଅପେକ୍ଷାରେ ଅଛନ୍ତି। ଏ ସମ୍ପର୍କରେ ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ଆଶିଷ ଲେଙ୍କାଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଏବେ ରାସ୍ତାର ଦୁରବସ୍ଥା ଦୂର କରିବାରେ ପ୍ରଶାସନ କେବଳ ପ୍ରତିଶ୍ରୁତିରେ ସୀମିତ ନ ରହି ତୁରନ୍ତ ଠୋସ ପଦକ୍ଷେପ ନେବା ଜରୁରୀ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande