
ମାଲକାନଗିରି,୧୨ ଅଗଷ୍ଟ (ହି.ସ.)
ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ଅଞ୍ଚଳର ୪୦ ବର୍ଷୀୟ ଯୁବକ କାଳିଆ ଡାକୁଆ ବର୍ତମାନ କ୍ୟାନ୍ସର ଭଳି ଏକ ଗୁରୁତର ରୋଗ ସହ ସଂଘର୍ଷ କରୁଛନ୍ତି । ସେ ବର୍ତ୍ତମାନ ବିଶାଖାପାଟଣାସ୍ଥିତ ମହାତ୍ମା ଗାନ୍ଧୀ କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଡାକ୍ତରମାନଙ୍କ ପରାମର୍ଶ ଅନୁଯାୟୀ ତାଙ୍କ ଚିକିତ୍ସା ଦୀର୍ଘ ସମୟ ଧରି ଚାଲିପାରେ ଏବଂ ଏଥିପାଇଁ ବହୁ ଅର୍ଥ ର ଆବଶ୍ୟକତା ରହିଛି । ପରିବାରର ସୂଚନା ଅନୁସାରେ, କାଳିଆ ଡାକୁଆ ହେଉଛନ୍ତି ପରିବାରର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତି। ତାଙ୍କ ଅସୁସ୍ଥତା ପରେ ପରିବାରର ଆୟର ମୁଖ୍ୟ ଉତ୍ସ ବନ୍ଦ ହୋଇଯାଇଛି। ଦିନକୁ ଦିନ ଚିକିତ୍ସା ଖର୍ଚ୍ଚ ବଢ଼ୁଥିବା ବେଳେ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି । କାଳିଆ ଡାକୁଆଙ୍କ ପରିବାରରେ ଜଣେ ବୃଦ୍ଧା ମା, ସ୍ତ୍ରୀ, ଜଣେ ବିକଳାଙ୍ଗ ସଦସ୍ୟ, ଜଣେ ପୁଅ ଏବଂ ଜଣେ ଝିଅ ରହିଛନ୍ତି । ପରିବାରର ସମସ୍ତ ଦାୟିତ୍ଵ ଏବେ ଅନିଶ୍ଚିତତାରେ ରହିଛି। ଚିକିତ୍ସା ସହିତ ପିଲାମାନଙ୍କ ପାଠପଢା , ବୃଦ୍ଧା ମା'ଙ୍କ ଦେଖାଶୁଣା ଓ ଘରର ଦୈନନ୍ଦିନ ଖର୍ଚ୍ଚ ବହନ କରିବା ପରିବାର ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ଚିକିତ୍ସା ପାଇଁ ବାରମ୍ବାର ବିଶାଖାପାଟଣା ଯିବାକୁ ପଡୁଛି , ଔଷଧ, ବିଭିନ୍ନ ପରୀକ୍ଷା, ହସ୍ପିଟାଲ ଫି ଓ ଅନ୍ୟାନ୍ୟ ଖର୍ଚ୍ଚ ପରିବାରର ସାମର୍ଥ୍ୟର ବାହାରକୁ ଚାଲିଯାଇଛି। ଆର୍ଥିକ ଅଭାବ କାରଣରୁ ଚିକିତ୍ସାରେ ବାଧା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି । ପରିବାର ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଜନପ୍ରତିନିଧ, ବିଭିନ୍ନ ସରକାରୀ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ସାମାଜିକ ଅନୁଷ୍ଠାନ, ସହୃଦୟ ବ୍ୟକ୍ତିମାନଙ୍କୁ ସହଯୋଗ ପାଇଁ ନିବେଦନ କରିଛନ୍ତି । ପରିବାରର କହିବା ଅନୁଯାୟୀ, ସମସ୍ତଙ୍କ ସହଯୋଗ ମିଳିଲେ ଚିକିତ୍ସା ସୂଚାରୁ ଭାବେ ଚାଲିପାରିବ ଏବଂ କାଳିଆ ଡାକୁଆଙ୍କ ଜୀବନ ବଞ୍ଚିବାର ଆଶା ଆହୁରି ବଢ଼ିବ। ସ୍ଥାନୀୟ ଅଞ୍ଚଳବାସୀମାନେ ମଧ୍ୟ କହିଛନ୍ତି ଯେ କାଳିଆ ଜଣେ ପରିଶ୍ରମୀ, ସରଳ ଓ ସମାଜପ୍ରିୟ ବ୍ୟକ୍ତି I ଆଜି ସେ ଏକ କଠିନ ପରିସ୍ଥିତିରେ ଥିବାରୁ ସମାଜର ପ୍ରତ୍ୟେକ ସହୃଦୟ ବ୍ୟକ୍ତିଙ୍କ ସହଯୋଗ ତାଙ୍କ ପରିବାର ପାଇଁ ବଡ଼ ଆଶ୍ୱାସନା ହୋଇପାରିବ । ତାଙ୍କ ପରିବାର ସମସ୍ତଙ୍କୁ ନିବେଦନ କରିଛି ଯେ, ସାମର୍ଥ୍ୟ ଅନୁଯାୟୀ ଛୋଟ କିମ୍ବା ବଡ଼ ଯେକୌଣସି ସହଯୋଗ ଚିକିତ୍ସାରେ ସହାୟକ ହେବ । ମାନବିକତାର ଦୃଷ୍ଟିରୁ ଆଗକୁ ଆସି ସହଯୋଗର ହାତ ବଢ଼ାଇବାକୁ ସେମାନେ ଅନୁରୋଧ କରିଛନ୍ତି ।
ସହାୟତା ପାଇଁ ଫୋନ ପେ /ଗୁଗୁଲ ପେ /ପେଟିଏମ୍ ଓ ଯୋଗାଯୋଗ ନମ୍ବର ୯୭୭୭୮୦୦୭୫୮ରେ କରିବାକୁ ଅନୁରୋଧ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ