ଗଣତାନ୍ତ୍ରିକ ଆନ୍ଦୋଳନ ବେଳେ କଂଗ୍ରେସ କର୍ମୀଙ୍କୁ ଅଟକ ନକରିବାକୁ ଏସ୍ପିଙ୍କୁ ଦାବି
Members of congress meet sp
Congress


ଝାରସୁଗୁଡ଼ା, 12 ଅଗଷ୍ଟ (ହି.ସ.) - ବିଭିନ୍ନ ଗଣତାନ୍ତ୍ରିକ ଆନ୍ଦୋଳନ ଓ କାର୍ଯ୍ୟକ୍ରମ ସମୟରେ କଂଗ୍ରେସ କର୍ମୀମାନଙ୍କୁ ପୋଲିସ ପକ୍ଷରୁ ବାରମ୍ବାର ଅଟକ ରଖାଯାଉଥିବା ଅଭିଯୋଗକୁ ନେଇ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି। ଏନେଇ ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଜିଲ୍ଲା ପୋଲିସ ଅଧିକ୍ଷକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।

ପ୍ରତିନିଧିମଣ୍ଡଳୀ ପକ୍ଷରୁ କୁହାଯାଇଥିଲା ଯେ, କଂଗ୍ରେସ ନେତା କହେଁୟା କୁମାରଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ମଧ୍ୟ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଥିଲା। ଏଥିସହ ବିଜେପିର କୌଣସି ନେତା ଝାରସୁଗୁଡ଼ା ଆସିଲେ ମଧ୍ୟ କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯାଉଥିବା ଅଭିଯୋଗ କରାଯାଇଥିଲା। ଗଣତାନ୍ତ୍ରିକ ଭାବେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ଓ ନିଜ ଦାବି ଉପସ୍ଥାପନ କରିବା ପ୍ରତ୍ୟେକ ନାଗରିକଙ୍କ ଅଧିକାର। ତେଣୁ ଆଇନଶୃଙ୍ଖଳା ରକ୍ଷା ନାମରେ ଅଯଥାରେ କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯିବା ଉଚିତ ନୁହେଁ ବୋଲି ଦଳ ପକ୍ଷରୁ ଏସ୍ପିଙ୍କ ନିକଟରେ ଦାବି କରାଯାଇଥିଲା। ଭବିଷ୍ୟତରେ କୌଣସି ଆନ୍ଦୋଳନ କିମ୍ବା ଶାନ୍ତିପୂର୍ଣ୍ଣ କାର୍ଯ୍ୟକ୍ରମ ସମୟରେ ପୋଲିସ ପ୍ରଶାସନ ଓ କଂଗ୍ରେସ ନେତୃତ୍ୱ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବା ସହ ଅନାବଶ୍ୟକ ଅଟକଦାରୀ ବନ୍ଦ କରାଯିବା ନେଇ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଭରତ ଅବସ୍ତି, ସୁବ୍ରତ ପ୍ରଧାନ, ବରିଷ୍ଠ ନେତା ପ୍ରଶାନ୍ତ ତ୍ରିପାଠୀ, ଦେବାନନ୍ଦ ବାରିକ, ଶାହରୁଖ ଖାନ, ମନମୋହନ ଝା, ସଞ୍ଜୟ ମହାପାତ୍ର, ରିୟାଜ ହୁସେନ, ଅଶୋକ ଖର୍ଷେଲ ପ୍ରମୁଖ ଉପସ୍ଥିତ ଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ସହଯୋଗ କରାଯିବ ବୋଲି ପ୍ରତିନିଧିମଣ୍ଡଳୀ ଆଶା ପ୍ରକାଶ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande