ଘରେ ଘରେ ତ୍ରିରଙ୍ଗା ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନୂଆପଡ଼ା,୧୨ ଅଗଷ୍ଟ (ହି.ସ.)- ନୂଆପଡ଼ା ସଦର ମହକୁମାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ ଭବ୍ୟ ଓ ସଫଳ ଭାବେ ପାଳନ କରିବା ନେଇ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଭାସୀ(ଭିଡିଓ କନ୍ଫରେନ୍ସିଂ) ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁଭ
Prastuti baithak anusthita


ନୂଆପଡ଼ା,୧୨ ଅଗଷ୍ଟ (ହି.ସ.)- ନୂଆପଡ଼ା ସଦର ମହକୁମାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ ଭବ୍ୟ ଓ ସଫଳ ଭାବେ ପାଳନ କରିବା ନେଇ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଭାସୀ(ଭିଡିଓ କନ୍ଫରେନ୍ସିଂ) ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ଓ ଅଭିଯାନର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।

ବୈଠକରେ ନିଷ୍ପତି ଅନୁଯାୟୀ, ଆସନ୍ତା ୧୪ ତାରିଖରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯିବ। ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ, ସିଆରପିଏଫ ଯବାନ, ପୁଲିସ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଅଂଶଗ୍ରହଣ କରିବେ। ଶୋଭାଯାତ୍ରା ପରେ ମୁଖ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ।

ସେହିପରି ଜିଲ୍ଲାର ସମସ୍ତ ବ୍ଲକ୍ ଓ ସହରାଂଚଳରେ ମଧ୍ୟ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ ଭବ୍ୟ ଭାବେ ପାଳନ କରାଯିବ। ଏହି ଅବସରରେ ବିଭିନ୍ନ ଦେଶପ୍ରେମମୂଳକ ଓ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ମଧ୍ୟ ଯୋଜନା କରାଯାଇଛି।

ଜାତୀୟ ପତାକା ଆମର ପରିଚୟ ଓ ଗୌରବର ପ୍ରତୀକ ବୋଲି ପ୍ରକାଶ କରି ଜିଲ୍ଲାପାଳ ଶ୍ରୀ ଦାଶ ଅଭିଯାନକୁ ଜିଲ୍ଲାରେ ସଫଳ ଓ ସ୍ମରଣୀୟ କରିବା ପାଇଁ ସମସ୍ତ ବିଭାଗ ଓ ଅଧିକାରୀଙ୍କୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଜାତୀୟ ପତାକା ପ୍ରତି ସମ୍ମାନ, ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ଜନମାନସରେ ଆହୁରି ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମର ସୁଚାରୁ ଆୟୋଜନ ଓ ପ୍ରଭାବଶାଳୀ ତଦାରଖ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟିରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସାମିଲ କରାଯାଇଛି।

ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ଅଭିଯାନର ସୁଚାରୁ ଆୟୋଜନ ନେଇ ଆଲୋଚନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande