
ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)- ଦେଶ ପାଳିବ
୮୦ତମ ସ୍ୱାଧୀନତା ଦିବସ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ଜୋରଦାର ହୋଇଛି ପ୍ରସ୍ତୁତି।
ମହାତ୍ମା ଗାନ୍ଧୀ ମାର୍ଗରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ପରେଡ୍ର ରିହର୍ସାଲ୍। ମାର୍ଚ୍ଚିଂ, ଡ୍ରିଲ୍ ଓ ଫର୍ମେସନ୍ରେ ମାତ୍ରାଧିକ ଅଭ୍ୟାସ
କରୁଛନ୍ତି ବିଭିନ୍ନ କଣ୍ଟିଜେଣ୍ଟ। ଏଥର 51ଟି କଣ୍ଟିଜେଣ୍ଟ ପରେଡ୍ରେ
ସାମିଲ ହୋଇଛନ୍ତି । ଓଡ଼ିଶା ପୁଲିସ ସମେତ ବିଭିନ୍ନ ସୁରକ୍ଷା ବାହିନୀ, ଏନସିସି କ୍ୟାଡେଟ୍, ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଏବଂ
ସ୍କୁଲ୍-କଲେଜ ଛାତ୍ରଛାତ୍ରୀ ଏହି ପରେଡ୍ରେ ସାମିଲ ହେବେ।
ଚଳିତବର୍ଷ ପରେଡ୍ର ଆକର୍ଷଣ
ବଢ଼ାଇବ ୪ଟି ପୁଲିସ ବ୍ୟାଣ୍ଡ ସହ ୪ଟି ସ୍କୁଲ୍ ବ୍ୟାଣ୍ଡ। ଏହାସହ ଛତିଶଗଡ଼ ପୁଲିସର ଏକ ଟିମ୍
ମଧ୍ୟ ପରେଡ୍ରେ ଅଂଶଗ୍ରହଣ କରୁଛି। ଆସନ୍ତା ୧୩ ତାରିଖରେ ହେବ ଫୁଲ୍ ଡ୍ରେସ୍ ରିହର୍ସାଲ୍।
ଏହାକୁ ନେଇ ଗାନ୍ଧୀ ମାର୍ଗ ଓ ଏହାର ସଂଲଗ୍ନ ଅଞ୍ଚଳରେ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ୧୫
ଅଗଷ୍ଟରେ ମଧ୍ୟ ସକାଳ ୬ଟାରୁ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଟ୍ରାଫିକ୍ ଡାଇଭର୍ସନ୍ ରହିବ। ସ୍ୱାଧୀନତା
ଦିବସକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି କଡ଼ା। ଗାନ୍ଧୀ ମାର୍ଗରେ ରହିବ
ତିନିସ୍ତରୀୟ ସୁରକ୍ଷା ବଳୟ। ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ଓ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ସହ
ମୁତୟନ ରହିବେ ସୁରକ୍ଷାକର୍ମୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା