
କେନ୍ଦୁଝର, ୨୭ ଅଗଷ୍ଟ (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କପାସପଡା ନିକଟରେ ହାତୀ ଉପଦ୍ରବ ପ୍ରତିବାଦରେ ଉତ୍ୟକ୍ତ ଗ୍ରାମବାସୀ ଜାତୀୟ ରାଜପଥ-୨୨୦ ଅବରୋଧ କରିଥିଲେ। ଅଂଚଳରେ ଦିନକୁ ଦିନ ବଢୁଥିବା ହାତୀ ଆତଙ୍କକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ତୀବ୍ର ହୋଇଛି।
ଗତ କିଛିଦିନ ଧରି ଅଂଚଳରେ ଦୁଇଟି ହାତୀପଲରେ ପ୍ରାୟ ୨୦ଟି ଓ ୯ଟି ହାତୀ ବିଭିନ୍ନ ଗ୍ରାମରେ ଘୂରି ବୁଲୁଛନ୍ତି। ହାତୀପଲ ଗାଁ ମୁହାଁ ହୋଇ ଧାନ ଫସଲ ସମେତ ବୋଇତାଳୁ, ମକା ଓ ଅନ୍ୟାନ୍ୟ ଚାଷ ନଷ୍ଟ କରୁଥିବାରୁ ଚାଷୀମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଅନ୍ୟ ପକ୍ଷରେ ଢେଙ୍କିକୋଟ ଫରେଷ୍ଟ ସେକ୍ସନ ରେ କର୍ମଚାରୀ ଅଭାବ ଓ ହାତୀ ଘୋଉଡାଇବା ରେ ବନ ବିଭାଗର ବିଫଳତା କୁ ଦାୟୀ କରିଛନ୍ତି।
ଗତକାଲି କେତାଙ୍ଗ ଗ୍ରାମରେ ୯ଟିକିଆ ହାତୀପଲ ଉପଦ୍ରବ ଜାରି ରଖିଥିବା ବେଳେ ବିଳମ୍ବିତ ରାତିରେ ବାବୁଲି ମହାନ୍ତଙ୍କ ଘର ଭାଙ୍ଗି ଦେଇଥିଲେ। ଘର ଭିତରେ ପରିବାର ଲୋକେ ଶୋଇଥିବା ସମୟରେ ହାତୀ ଘର ଭାଙ୍ଗିବାରୁ ସମସ୍ତେ ଅଳ୍ପକେ ରକ୍ଷା ପାଇଥିଲେ। ଏହାପରେ ଅଂଚଳବାସୀଙ୍କ ମଧ୍ୟରେ ହାତୀ ଭୟ ଆହୁରି ବଢିଛି।
ଅନ୍ୟପକ୍ଷରେ ଧୋବାପିଟିଣା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣା ପରେ ଲୋକଙ୍କ ଚିନ୍ତା ଓ ଅସନ୍ତୋଷ ତୀବ୍ର ହୋଇଛି। ଆଜି ରିପୋର୍ଟ ଅନୁସାରେ ହାତୀପଲ କପାସପଡ଼ା କୋଠା ଘରଣୀ ପାହାଡ ଜଙ୍ଗଲ ରେ ଥିବାରୁ ଲୋକ ଭୟରେ ଅଛନ୍ତି,ହାତୀ ଉପଦ୍ରବ ରୋକିବାରେ ବନ ବିଭାଗର ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ଅଭିଯୋଗ କରି ଗ୍ରାମବାସୀ ନିୟମିତ ହାତୀ ପେଟ୍ରୋଲିଂ, ହାତୀପଲଙ୍କୁ ଅନ୍ୟତ୍ର ଘଉଡାଇବା ଏବଂ ଫସଲ ଓ ଘରବାଡିର କ୍ଷୟକ୍ଷତିର ତୁରନ୍ତ ଆକଳନ କରି କ୍ଷତିପୂରଣ ପ୍ରଦାନ ଦାବି କରିଥିଲେ।
ଖବର ପାଇ ଘଟଣା ସ୍ଥଳରେ ଘଟଗାଁ ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ଜେନା, ଢେଙ୍କିକୋଟ ଫାଣ୍ଡି ପୋଲିସ ଏବଂ ଏସିଏଫ୍ ସୁଦୀପ୍ତ ପଣ୍ଡା ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। କ୍ଷୟକ୍ଷତିର ଆକଳନ କରାଯାଇ ନିୟମାନୁସାରେ କ୍ଷତିପୂରଣ ଦିଆଯିବା ସହ ଗାଁରେ ଆଲୋକ ବ୍ୟବସ୍ଥା ପାଇଁ ଲାଇଟ୍ ପ୍ରଦାନ ଏବଂ ହାତୀ ଗତିବିଧି ଉପରେ ନଜର ରଖିବାକୁ ଆବଶ୍ୟକ ସଂଖ୍ୟକ ବନ କର୍ମଚାରୀ ମୁତୟନ କରାଯିବ ବୋଲି ବନ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ବନ ବିଭାଗ ଓ ପୋଲିସର ଆଲୋଚନା ପରେ ଆନ୍ଦୋଳନକାରୀମାନେ ରାଜପଥ ଅବରୋଧ ହଟାଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA