ଏମଏମଡିଆରକୁ ନେଇ ନବୀନ ଚିଠି ପ୍ରସଙ୍ଗ ତଥ୍ୟକୁ ଗୋପନ ରଖି ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଅନୁଚିତ୍ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୯ ଅଗଷ୍ଟ (ହି.ସ.)- ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ଅଧିନିୟମ, ୨୦୨୬ (ଏମଏମଡିଆର)କୁ ନେଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସାଂସଦମାନଙ୍କୁ ଦେଇଥିବା ଚିଠିର ପ୍ରତ୍ୟୁତ୍ତର ରଖିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ
Dharmendra pradhan


ନୂଆଦିଲ୍ଲୀ/ଭୁବନେଶ୍ୱର,୨୯ ଅଗଷ୍ଟ (ହି.ସ.)- ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ଅଧିନିୟମ, ୨୦୨୬ (ଏମଏମଡିଆର)କୁ ନେଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସାଂସଦମାନଙ୍କୁ ଦେଇଥିବା ଚିଠିର ପ୍ରତ୍ୟୁତ୍ତର ରଖିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତଥ୍ୟକୁ ଗୋପନ ରଖି ଏବଂ ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ସେ ପତ୍ରରେ ପ୍ରକାଶ କରିଛନ୍ତି।

ସାଂସଦ ଶ୍ରୀ ପ୍ରଧାନ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗଣତନ୍ତ୍ରରେ ରାଜନୈତିକ ଆଲୋଚନା ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ହେଁ, ସଂସଦରେ ଓଡ଼ିଶାର ସ୍ୱର ଭାବରେ ଜାତୀୟ ବିକାଶ ସହ ରାଜ୍ୟର ଅର୍ଥନୀତିର ବ୍ୟାପକତା ଏବଂ ସଂରଚନାଗତ ସ୍ୱାର୍ଥ ରକ୍ଷା କରିବା ଆମର ପ୍ରାଥମିକ ଦାୟିତ୍ୱ । ଏମଏମଡିଆର ସଂଶୋଧନ ଅଧିନିୟମ, ୨୦୨୬ ହେଉଛି ଏକ ଐତିହାସିକ ପଦକ୍ଷେପ ଯାହା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ରାଜ୍ୟ ରାଜସ୍ୱର ସୁରକ୍ଷା ଏବଂ ନାଗରିକମାନଙ୍କୁ ମୁଦ୍ରାସ୍ଫୀତିରୁ ରକ୍ଷା କରିବ।

ଓଡ଼ିଶା ନିଜର ରାଜସ୍ୱ ଅଂଶ ହରାଇବ ବୋଲି ବିରୋଧୀ ଦଳ ନେତାଙ୍କ ଆଶଙ୍କା ସମ୍ପୂର୍ଣ୍ଣ ତଥ୍ୟହୀନ । ନୂତନ ଆଇନ ଅନୁଯାୟୀ, ଖଣି କ୍ଷେତ୍ରରୁ ମିଳୁଥିବା ମୋଟ ରାଜସ୍ୱର ପ୍ରାୟ ୯୦% ସିଧାସଳଖ ରାଜ୍ୟ ରାଜକୋଷକୁ ଯିବ । ଓଡ଼ିଶା ନିଜର ନିଲାମ ପ୍ରିମିୟମର ୧୧୦%, ରୟାଲଟିର ୧୫% ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିର ସମସ୍ତ ଅଂଶ ପୂର୍ବପରି ପାଇବ । ଅପରପକ୍ଷରେ ୨୦୧୪ ପୂର୍ବରୁ ମନମୁଖୀ ଭାବରେ ଅସ୍ୱଚ୍ଛ ଉପାୟରେ ନିଜ ପସନ୍ଦର ପରିବାର ଓ ସଂସ୍ଥାମାନଙ୍କୁ ଖଣି ବଣ୍ଟନ କରାଯାଉଥିଲା, ଯାହାଫଳରେ ଓଡ଼ିଶାର ବାର୍ଷିକ ଖଣି ରାଜସ୍ୱ ମାତ୍ର ୫,୦୦୦ କୋଟି ଟଙ୍କାରେ ସୀମିତ ଥିଲା । ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ଏମଏମଡିଆର ସଂଶୋଧନ ଦ୍ୱାରା ସ୍ୱଚ୍ଛ ଇ-ନିଲାମ ଏବଂ ରୟାଲଟି ୧୦% ରୁ ୧୫% କୁ ବୃଦ୍ଧି କରାଯାଇଥିଲା। ଫଳରେ ରାଜ୍ୟର ବାର୍ଷିକ ଖଣି ରାଜସ୍ୱ ଦଶଗୁଣ ବୃଦ୍ଧି ପାଇ ପ୍ରାୟ ୫୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି ।

ଖଣିଜ ଜମି ଉପରେ ଅନିୟନ୍ତ୍ରିତ ଓ ମନମୁଖୀ ଶୁଳ୍କ ଲଗାଇବା ଦ୍ୱାରା କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ ଏବଂ ଯାଜପୁର ଭଳି ଶିଳ୍ପାଞ୍ଚଳରେ ଖଣି ଓ ଶିଳ୍ପ ବନ୍ଦ ହେବାର ଆଶଙ୍କା ଥିଲା, ଯାହା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରିଥାନ୍ତା। ଏହାସହ ଇସ୍ପାତ, ସିମେଣ୍ଟ, ବିଦ୍ୟୁତ୍ ଓ କୋଇଲା କଞ୍ଚାମାଲ ଖର୍ଚ୍ଚ ବୃଦ୍ଧି ପାଇ ରାଜ୍ୟର ସାଧାରଣ ମଧ୍ୟବିତ୍ତ ପରିବାର ଉପରେ ବୋଝ ହୋଇଥାନ୍ତା। ଧାରା ୯ଡି ଏହି ଅନିୟନ୍ତ୍ରିତ କରକୁ ରୋକିବା ପାଇଁ ଏକ ନିର୍ଦ୍ଦିଷ୍ଟ ସୀମା ନିର୍ଦ୍ଧାରଣ କରିଛି ବା ଏଭଳି ବିପଦର ଆଶଙ୍କା ଦୂରେଇ ଯାଇଛି ।

ଶ୍ରୀ ପ୍ରଧାନ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି, ୨୦୧୫ରୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ଡିଏମଏଫ୍ ମାଧ୍ୟମରେ ଓଡ଼ିଶାର ଖଣି ଅଞ୍ଚଳଗୁଡ଼ିକର ବିକାଶ ପାଇଁ ୩୭,୦୦୦ କୋଟିରୁ ଅଧିକ ଟଙ୍କା ମିଳିଛି । ସେହିପରି ସିଏଜି ରିପୋର୍ଟକୁ ଉଦ୍ଧୃତ କରି ଶ୍ରୀ ପ୍ରଧାନ କହିଛନ୍ତି, ପୂର୍ବ ବିଜେଡି ସରକାର ସମୟରେ ଖଣି ଦ୍ୱାରା ଆଦୌ କ୍ଷତିଗ୍ରସ୍ତ ହୋଇନଥିବା ୯୭୬ଟି ଗାଁରେ ୯୮୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ, ପ୍ରତ୍ୟକ୍ଷ ଭାବେ କ୍ଷତିଗ୍ରସ୍ତ ୫୮୪ଟି ଗାଁକୁ କୌଣସି ପାଣ୍ଠି ଦିଆଯାଇ ନାହିଁ। ଏହାସହିତ ଗ୍ରାମସଭାର ମଞ୍ଜୁରୀ ନନେଇ ୧,୭୩୦ଟି ପ୍ରକଳ୍ପ କାମ କରାଯାଇଥିବା ସିଏଜି ଅଡିଟ୍ ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ିଛି।

ଏଥିସହିତ ଓଆରଆଇଏସଇଡି (ଓଡ଼ିଶା ରୁରାଲ ଇନଫ୍ରାଷ୍ଟ୍ରକଚର ଆଣ୍ଡ ସୋସିଓ -ଇକୋନୋମିକ୍ ଡେଭଲପମେଂଟ ଆକ୍ଟ ) ଆକ୍ଟ, ୨୦୦୪ କୁ ୨୦୦୫ରେ ହାଇକୋର୍ଟ ରଦ୍ଦ କରିବା ପରେ, ବିଜେଡି ସରକାର ଆଇନଗତ ତ୍ରୁଟି ସୁଧାରିବା ପାଇଁ ବିଧାନସଭାରେ କୌଣସି ସଂଶୋଧନ ନଆଣି ୧୮ ବର୍ଷ ଧରି ସୁପ୍ରିମକୋର୍ଟରେ ମାମଲା ଚଲାଇ ସମୟ ନଷ୍ଟ କରିଥିଲେ। ଓଡ଼ିଶାର ସାଂସଦମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥ, ଶିଳ୍ପ ସମୃଦ୍ଧି ଏବଂ ଯୁବପିଢ଼ିଙ୍କ ନିଯୁକ୍ତି ସୁରକ୍ଷା ପାଇଁ ସଂସଦରେ ଏମଏମଡିଆର୍ ସଂଶୋଧନ ବିଲ୍, ୨୦୨୬ କୁ ସମର୍ଥନ କରିଛନ୍ତି । ବିରୋଧୀ ଦଳ ନେତା ଦଳୀୟ ମନୋଭାବରୁ ଊର୍ଦ୍ଧ୍ୱକୁ ଯାଇ ରାଜ୍ୟର ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରୁଥିବା ଏହି ଐତିହାସିକ ଆଇନକୁ ସମର୍ଥନ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande