
ଭୁବନେଶ୍ୱର,୨୯ ଅଗଷ୍ଟ (ହି.ସ.)- ଓଡ଼ିଶାରେ ବୃହତ୍ ଶିଳ୍ପନିବେଶଭିତିଭୂମି ପ୍ରକଳ୍ପର ଅଗ୍ରଗତି ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ରହୁଥିବା ବିଭିନ୍ନ ପ୍ରସଙ୍ଗର ସମାଧାନ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଗତକାଲି ଶୁକ୍ରବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇସ୍ପାତ ଓ ଖଣି ବିଭାଗ ଦେଓରଞ୍ଜନ କୁମାର ସିଂହ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବତଥା ଇଡକୋର ଅଧ୍ୟକ୍ଷା ଶ୍ରୀମତୀ ଊଷା ପାଢ଼ୀ,ଶକ୍ତି, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ ଦେବଙ୍କ ସମେତ ଅର୍ଥ, ଶକ୍ତି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ, ବାଣିଜ୍ୟ ଓ ପରିବହନ, ଜଳ ସଂପଦ ଆଦି ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ଇଡକୋ, ଓଡ଼ିଶା ଖଣି ନିଗମ, ଇପିକଲ ,ଟିପିସିଓଡିଏଲ ଆଦିର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ନ୍ୟାସନାଲ ଆଲୁମିନିୟମ କମ୍ପାନୀ(ନାଲକୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ଆଦାନୀ ଗ୍ରୁପ୍ କର୍ପୋରେଟ୍ ବ୍ୟାପାର ସଭାପତିଙ୍କ ଉପସ୍ଥିତିରେ ସମ୍ପର୍କିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ଭବିଷ୍ୟତ ନିବେଶ ଯୋଜନା ଏବଂ ପ୍ରକଳ୍ପଗୁଡ଼ିକର ସୁଗମ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକ ସରକାରୀ ସହଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ନାଲକୋ ସମ୍ପର୍କିତ ଆଲୋଚନାରେସ୍ମେଲ୍ଟର ଓ କ୍ୟାପ୍ଟିଭ୍ ପାୱାର ପ୍ଲାଂଟର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ଏବଂ ଉତ୍କଳ ‘ଡି’ ଏବଂ ‘ଇ’କୋଇଲା ଖଣିଭଳି ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଜମି ଅଧିଗ୍ରହଣ ଓ ହସ୍ତାନ୍ତର, ପୁନର୍ବାସ ଓ ଥଇଥାନ, ଜନ ଶୁଣାଣି, ଗ୍ରାମସଭା ଏବଂ ପ୍ରକଳ୍ପ ସହ ଜଡ଼ିତ ଆନୁଷଙ୍ଗିକ ଭିତିଭୂମିର ବିକାଶ ଆଦି ବିଷୟର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା।
ଏହାସହଆଦାନୀ ଗ୍ରୁପ୍ ର ଓଡ଼ିଶାରେ ଚାଲୁଥିବା ଓ ପ୍ରସ୍ତାବିତ ବିଭିନ୍ନ ନିବେଶ ପ୍ରକଳ୍ପସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ବନ୍ଦର ଓ ବନ୍ଦର ସମ୍ପ୍ରସାରଣ, ଶିଳ୍ପ ପାର୍କ, ଶକ୍ତି, ଆଲୁମିନିୟମ୍, ସିମେଂଟ, କୋଲ୍ ଗ୍ୟାସିଫିକେସନ୍, ଡାଟା ସେଣ୍ଟର, ଖଣି, ଲଜିଷ୍ଟିକ୍ସ ଭଳି ବିଭିନ୍ନ କ୍ଷେତ୍ରରେ ନିବେଶ ସୁଯୋଗ ଓ ପ୍ରକଳ୍ପ ଯୋଜନା ଉପସ୍ଥାପିତ ହୋଇଥିଲା।ବିଶେଷକରିଧାମରା ଓ ଗୋପାଳପୁର ବନ୍ଦରର ସମ୍ପ୍ରସାରଣ, ଶିଳ୍ପ ପାର୍କ, ଆର୍ôଥକ କରିଡର ଓ ଆନୁଷଙ୍ଗିକ ଭିତିଭୂମି ବିକାଶସମ୍ପର୍କରେ ଆବଶ୍ୟକତା ଓ ସମ୍ଭାବନା ନେଇ ଆଲୋଚନା ହୋଇଥିଲା। ଜମି ଆବଶ୍ୟକତା, ଅଧିଗ୍ରହଣ, ସଡ଼କ ଓ ରେଳ ସଂଯୋଗ, ଉପକୂଳ ନିୟନ୍ତ୍ରଣ ଅଂଚଳ ସମ୍ପର୍କିତ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ଆବଶ୍ୟକ ସହଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।ରାଜ୍ୟରେ ବୃହତ୍ ନିବେଶ ପାଇଁ ଅନୁକୂଳ ପରିବେଶକୁ ଆହୁରି ସୁଦୃଢ଼ କରିବା ସହ ନିବେଶକମାନଙ୍କୁ ଆବଶ୍ୟକ ସରକାରୀ ସହଯୋଗ ଯୋଗାଇ ଦେଇ ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବୃହତ୍ ଶିଳ୍ପ ପ୍ରକଳ୍ପଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟାନ୍ୱୟନ, ରାଜ୍ୟର ଶିଳ୍ପ ବିକାଶ, ନିବେଶ ବୃଦ୍ଧି, ରୋଜଗାର ସୃଷ୍ଟି ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇଥିଲେ । ପ୍ରକଳ୍ପଗୁଡ଼ିକ ସହ ଜଡ଼ିତ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ, ନାଲକୋ, ଆଦାନୀ ଗ୍ରୁପ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରିସମୟବଦ୍ଧ ଓ ଫଳପ୍ରଦ ପଦକ୍ଷେପଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ବୈଠକରେ ଅନୁଗୋଳ,କୋରାପୁଟ,ରାୟଗଡ଼ା,ମାଲକାନଗିରି, ସୁନ୍ଦରଗଡ଼,କଟକଓ ଭଦ୍ରକ ଆଦି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା