
ଭୁବନେଶ୍ୱର, 30 ଅଗଷ୍ଟ (ହି.ସ.)ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନ୍ସଡ କମ୍ପ୍ୟୁଟିଂ’ (ସି-ଡାକ )ର ଏକ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ସହ ସଫ୍ଟୱେର ଟେକ୍ନୋଲୋଜି ପାର୍କସ ଅଫ ଇଣ୍ଡିଆ (ଏସଟିପିଆଇ)ର ସମ୍ବଲପୁର କେନ୍ଦ୍ରର ସମ୍ପ୍ରସାରଣ ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।
ଏନେଇ ଶ୍ରୀ ପ୍ରଧାନ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ପତ୍ର ଲେଖିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ସି-ଡାକ ର ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ହେଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ), ସାଇବର ସୁରକ୍ଷା, ଡାଟା ଆନାଲିଟିକ୍ସ ଏବଂ କ୍ଲାଉଡ୍ ଇନ୍ଫ୍ରାଷ୍ଟ୍ରକଚର ଭଳି ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣା ଓ ନବସୃଜନକୁ ଗତି ମିଳିବ।
ସେହିପରି ସମ୍ବଲପୁର ଏସଟିପିଆଇ କେନ୍ଦ୍ରର ସମ୍ପ୍ରସାରଣ ଦ୍ୱାରା ସେମିକଣ୍ଡକ୍ଟର ଡିଜାଇନ, ଏଆଇ ଏବଂ ଆଇଟି କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ମିଳିବ ବୋଲି ସାଂସଦ ଉଲ୍ଲେଖ କରିଛନ୍ତି। ଏହା ଫଳରେ ଷ୍ଟାର୍ଟଅପ୍, ଇନୋଭେସନ ଏବଂ ଦକ୍ଷତା ବିକାଶ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବା ସହ ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଉଚ୍ଚମାନର ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ।
ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁସାରେ, ଏହି ଦୁଇଟି ପଦକ୍ଷେପ ସମ୍ବଲପୁର ସମେତ ସମଗ୍ର ଓଡ଼ିଶାର ଡିଜିଟାଲ ଓ ପ୍ରଯୁକ୍ତି ପରିବେଶକୁ ଆହୁରି ସୁଦୃଢ଼ କରିବ। ଏଥିସହ ରାଜ୍ୟରେ ଗବେଷଣା, ଉଦ୍ୟୋଗୀକରଣ ଓ ପ୍ରଯୁକ୍ତିଭିତ୍ତିକ ରୋଜଗାରର ନୂଆ ଦିଗ ଖୋଲିବା ସହ ଭାରତକୁ ଏକ ଅନ୍ତର୍ଜାତୀୟ ପ୍ରଯୁକ୍ତି ହବ୍ ଭାବେ ଗଢ଼ି ତୋଳିବାରେ ଏହା ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ