
ଖୋର୍ଦ୍ଧା, 01 ସେପ୍ଟେମ୍ବର (ହି.ସ.) ଚଳିତ ବର୍ଷର ପ୍ରଥମ ବରିଷ୍ଠ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ସୁଭାରମ୍ଭ ଉପଲକ୍ଷେ ଖୋରଧା ଜିଲ୍ଲାର ୧୬୯ ଜଣ ତୀର୍ଥ ଯାତ୍ରୀ (ଖୋର୍ଦ୍ଧା ସବ୍ ଡିଭିଜନ ର ୧୨୪ ଏବଂ ଭୁବନେଶ୍ୱର ସବ୍ ଡିଭିଜନ ର ୪୫)ସାମିଲ ହୋଇଛନ୍ତି l
ଆଜି ଅପରାହ୍ନରେ ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୁଲ୍ୟରେ ତୀର୍ଥ ଯାତ୍ରୀ ମାନଙ୍କୁ ଏକ ଭବ୍ୟ ସ୍ଵାଗତ ସମାରୋହ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ତୀର୍ଥ ଯାତ୍ରୀ ମାନଙ୍କ ଭୁବନେଶ୍ୱର ରେଳ ଷ୍ଟେସନ ଆଗମନ ଉପଲକ୍ଷେ ମହାପ୍ରଭୁଙ୍କ ନାମରେ ଶ୍ରୀଫଳ ବାଡ଼େଇ ଚାରିଗୋଟି ବସରେ ତୀର୍ଥ ଯାତ୍ରୀ ମାନଙ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ସମାରୋହରେ ନିଜ ଅଭିଭାଷଣରେ ମୁଖ୍ୟ ଅତିଥି ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ କହିଲେ ମନୁଷ୍ୟ ଜୀବନର ଶେଷ ଲକ୍ଷ୍ୟ ପ୍ରଭୁଙ୍କ ଦର୍ଶନ, ବିଭୂକୃପା କରୁଣା ଲାଭ ଓ ପରମ ଧାମ ପ୍ରାପ୍ତି l ରାଜ୍ୟ ସରକାରଙ୍କ ଏହି ଅଭିନବ ଯୋଜନାରେ ବରିଷ୍ଠ ନାଗରିକ ମାନେ ଚାରିଧାମ ଯାତ୍ରା କରି ପ୍ରଭୁଙ୍କ ଦିବ୍ୟ ଦର୍ଶନ କରି ପରିଣତ ବୟସରେ ନିଜର ଅଭିପ୍ ସା ପୂର୍ଣ୍ଣ କରିବାର ସୁଯୋଗ ପାଉଛନ୍ତି l ମହାପ୍ରଭୁଙ୍କ ତଥା ଠାକୁରଙ୍କ ଡୋରି ଲାଗିଲେ ପଙ୍ଗୁ ଲଂଘୟତେ ଗିରି ପରି ଆଜି ଯେଉଁ ତୀର୍ଥ ଯାତ୍ରୀ ମାନେ ବାରଣାସୀ ଅଯୋଧ୍ୟା ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ଦର୍ଶନରେ ଯାଉଛନ୍ତି ସମସ୍ତେ ଖୁସି ଖୁସି ଯାଇ ଫେରିବାକୁ ସଦିତ୍ସା ରଖିବା ସହ ଖୋରଧା ଜିଲ୍ଲା ଠାରୁ ଆରମ୍ଭ କରି ଓଡ଼ିଶା ପ୍ରଦେଶ, ଅଖଣ୍ଡ ଭାରତ ବର୍ଷ ଓ ସମଗ୍ର ବିଶ୍ୱର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ ଆଶିଷ ମାଗିବାକୁ ତୀର୍ଥ ଯାତ୍ରୀ ମାନଙ୍କୁ ଆହ୍ଵାନ ଦେଇଥିଲେ l ସଭାପତି ଭାଷଣରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା କହିଲେ ଯେ ତୀର୍ଥ କରିବା ଦ୍ୱାରା ମନୁଷ୍ୟ ମନରେ କଳୁଷିତ ମନୋଭାବ ଖଣ୍ଡନ ହୋଇ ଦେବତ୍ଵ ମନୋଭାବ ଜାଗ୍ରତ ହୋଇଥାଏ l ସେହିପରି ମଧ୍ୟ ମୋହ ମାୟା ସଂସାରର ଆସକ୍ତି ଦୂର ହୋଇ ଆଧ୍ୟାତ୍ମିକତା ଜାଗ୍ରତ ହୋଇ ବିଶ୍ୱ କଲ୍ୟାଣରେ ପ୍ରୟୋଗ ହୋଇଥାଏ ବୋଲି ଉଦବୋଧନ ଦେଇ ୬ ଗୋଟି ଜିଲ୍ଲାର ପ୍ରାୟ ୮୦୦ ତୀର୍ଥ ଯାତ୍ରୀ ମାନଙ୍କ ମଙ୍ଗଳ କାମନା କରିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ, ଉପସଭାପତି ଗୋପୀନାଥ ମହାରଣା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି, ବୋଲଗଡ଼ ଜିଲ୍ଲାପରିଷଦ ଜୋନର ସଦସ୍ୟ ସୁବାଷ ଚନ୍ଦ୍ର ରାୟ ଗୁରୁ ଯୋଗ ଦେଇ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ସରକାରଙ୍କ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏକ ଅଗ୍ରଣୀ ଯୋଜନା ଉଲ୍ଲେଖ କରି ଐତିହ୍ୟ ସଂସ୍କୃତି କଳା ଓ ପର୍ଯ୍ୟଟନର ଆଦାନ ପ୍ରଦାନର ଅଖଣ୍ଡ ଭାରତ ବର୍ଷ ର ଆଧ୍ୟାତ୍ମିକ ଅନୁଭୂତି ମିଳିବା ସହ ଜାତୀୟ ସଂହତି ମଜବୁତ୍ କରିଥାଏ ବୋଲି ନିଜ ନିଜ ମତ ପ୍ରକାଶ କରିଥିଲେ l ଶେଷରେ ଭାରପ୍ରାପ୍ତ ପର୍ଯ୍ୟଟନ ଅଧିକାରୀ ଡେପୁଟୀ କଲେକ୍ଟର, ଯୁଡ଼ିସିଆଲ ସାରା ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ l ମଞ୍ଚ ପରିଚାଳନା ଶ୍ରୀକାନ୍ତ ନାୟକ ସମ୍ପାଦିତ କରିଥିଲେ l ତୀର୍ଥ ଯାତ୍ରୀ ମାନଙ୍କ ଡାକ୍ତରୀ ପରୀକ୍ଷା କରା ଯାଇଥିଲା l ତୀର୍ଥ ଯାତ୍ରୀ ମାନେ ଆଜି ଭୁବନେଶ୍ୱରରେ ରାତ୍ରି ଯାପନ କରି ଆସନ୍ତା କାଲି ପୂର୍ବାହରେ ସ୍ଵତନ୍ତ୍ର ରେଳରେ ୬ ଗୋଟି ଜିଲ୍ଲାର ପ୍ରାୟ ୮୦୦ ତୀର୍ଥ ଯାତ୍ରୀ ଏକତ୍ରିତ ହୋଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତ ସୁରକ୍ଷା ଅଧିକାରୀ ମାନଙ୍କ ହେପାଜତରେ ବାରଣାସୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ l ଏଥି ନିମନ୍ତେ ଖୋରଧା ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ଜଣ ସୁରକ୍ଷା ସେବା ଅଧିକାରୀଙ୍କୁ ନିଯୁକ୍ତ କରାଯାଇଅଛି l ଆଜିର ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ହୋତା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଡେପୁଟୀ କଲେକ୍ଟର ସୌମ୍ୟା ସାଗରିକା ସ୍ୱାଇଁ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସ୍ବିଟୀ ସୋରେନ,ଆସିଷ୍ଟାଣ୍ଟ କଲେକ୍ଟର ଇପ୍ସିତା ସାହୁ, ନିଜାରତ୍ ଅଧିକାରୀ ରିଷବ ତ୍ରିପାଠୀ , ଆଜି ଯୋଗଦାନ କରିଥିବା ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୁସ୍ମିତା ପ୍ରଧାନ ଙ୍କ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭାରରାପ୍ତ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଏବଂ ଡେପୁଟୀ କଲେକ୍ଟର, ଯୁଡ଼ିଶିଆଲ ସାରା ମଲ୍ଲିକ ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ପରିଚାଳନା କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ, ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ, ସଭାପତି ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା ଏବଂ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ