ଅସ୍ତ୍ର ଦେଖାଇ ରିଲ୍ସ କରିବା ପଡ଼ିଲା ଭାରି ୫ ଯୁବକ ଗିରଫ, ୩ ନାବାଳକ ଅଟକ
Making Reels Showing Weapons Proved Costly: 5 Youths Arrested, 3 Juveniles Detained
ଅସ୍ତ୍ର ଦେଖାଇ ରିଲ୍ସ କରିବା ପଡ଼ିଲା ଭାରି ୫ ଯୁବକ ଗିରଫ


ଝାରସୁଗୁଡ଼ା, ୧୧ ସେପ୍େଟମ୍ବର (ହି.ସ.) : ସୋସିଆଲ ମିଡିଆରେ ମାରାତ୍ମକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରି ଭୟ ଓ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ଝାରସୁଗୁଡ଼ା ପୋଲିସ ଅପରେସନ୍ ନେତ୍ର ଅଧୀନରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ଇନ୍‌ଷ୍ଟାଗ୍ରାମ୍ ରିଲ୍ସରେ ଖଣ୍ଡା ଓ ଛୁରୀ ଦେଖାଇ ଗୁଣ୍ଡାଗିରି ପ୍ରଦର୍ଶନ କରିବା ସହ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିବା ଅଭିଯୋଗରେ ୫ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିବା ବେଳେ ୩ ଜଣ ନାବାଳକଙ୍କୁ ଅଟକ ରଖିଛି।

ଗୁପ୍ତ ସୂଚନା ଆଧାରରେ ଝାରସୁଗୁଡ଼ା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ରିଲ୍ସରେ ଅସ୍ତ୍ର ପ୍ରଦର୍ଶନ କରୁଥିବା ଯୁବକମାନଙ୍କୁ ଚିହ୍ନଟ କରିଥିଲା। ସେମାନଙ୍କ ନିକଟରୁ ୨ଟି ଧାରୁଆ ଛୁରୀ ଏବଂ ଭିଡିଓ ରେକର୍ଡିଂ ପାଇଁ ବ୍ୟବହୃତ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ଗିରଫ ଯୁବକମାନେ ହେଲେ ସାଗର ଭଇଁସା (୨୨), ସୁଭମ ଛଂଚାଣ (୨୧), ବିକାଶ ଭଇଁସା (୨୪), ବିକାଶ ପ୍ରଧାନ (୨୧) ଓ ସମୀର ସୋରେଙ୍ଗ (୨୨)। ଅନ୍ୟ ୩ ଜଣ ନାବାଳକଙ୍କୁ ଝାରସୁଗୁଡ଼ା ଟାଉନ୍ ଥାନାରେ ଅଟକ ରଖାଯାଇଛି।

ଏହି ଘଟଣାରେ ଝାରସୁଗୁଡ଼ା ଥାନାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଏବଂ ଆର୍ମସ୍ ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର କହିଛନ୍ତି, ସୋସିଆଲ ମିଡିଆ ପ୍ରତିଭା ପ୍ରଦର୍ଶନର ଏକ ମାଧ୍ୟମ, ଅପରାଧ କିମ୍ବା ମାରାତ୍ମକ ଅସ୍ତ୍ରଶସ୍ତ୍ରର ପ୍ରଚାର ପାଇଁ ନୁହେଁ। ଅପରେସନ୍ ନେତ୍ର ମାଧ୍ୟମରେ ସୋସିଆଲ ମିଡିଆରେ ହେଉଥିବା ଏଭଳି ଗତିବିଧି ଉପରେ ପୋଲିସର କଡ଼ା ନଜର ରହିଛି। ଅନଲାଇନ୍ ହେଉ କି ଅଫଲାଇନ୍‌, ଶାନ୍ତିଭଙ୍ଗ କିମ୍ବା ଆତଙ୍କ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏଭଳି ଅସ୍ତ୍ର ପ୍ରଦର୍ଶନ କରୁଥିବା ରିଲ୍ସଠାରୁ ନାବାଳକ, ଯୁବକ ଓ ସାଧାରଣ ଲୋକେ ଦୂରେଇ ରହିବାକୁ ଝାରସୁଗୁଡ଼ା ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande