
ଗଞ୍ଜାମ, ୧୧ ସେପ୍ଟେମ୍ବର (ହି.ସ.)- ଫୁଲ ତୋଳୁଥିବା ବେଳେ ଧକ୍କାଦେଲା ଟ୍ରକ୍ । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଡ଼ଭାଗ ନିକଟରେ ଆଜି ଭୋର୍ ସମୟରେ ଘଟିଛି ଏହି ଦୁର୍ଘଟଣା ।
ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ରାଇକିଆରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏହି ମାଲ୍ ବୋଝେଇ ଟ୍ରକ୍ ଆସିକା ଥାନା ଅନ୍ତର୍ଗତ ଖଡ଼ଭାଗ ନିକଟରେ ଭାରସାମ୍ୟ ହରାଇ ପ୍ରଥମେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ କାର୍ କୁ ଧକ୍କା ଦେଇଥିଲା । ଏବଂ ପରେ ରାସ୍ତା କଡ଼ରେ ଫୁଲ ତୋଳୁଥିବା ଦୁଇ ଜଣ ମହିଳାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଖଡ଼ଭାଗ ଗ୍ରାମର ଅହଲ୍ୟା ଗୌଡ଼ଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ମହିଳା ସୁକାନ୍ତି ସାହୁ ଗୁରୁତର ହୋଇଛନ୍ତି । ସୁକାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ପରେ ସେଠାରେ ଉତେଜନା ପ୍ରକାଶ ପାଇଛି । ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରିଛି । ମୃତ ମହିଳାଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଯାଇଛି । ଟ୍ରକ୍ ଡ୍ରାଇଭରକୁ ପୋଲିସ ଅଟକ ରଖି ଏନେଇ ଅଧିକ ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ