
ଭୁବନେଶ୍ୱର/ଦୁବାଇ, 11 ସେପ୍ଟେମ୍ବର (ହି.ସ.)- ଓଡିଶାର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାକୁ
ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଦୁବାଇରେ ‘ୱାନ୍ ଡିଷ୍ଟ୍ରିକ୍ଟ, ୱାନ୍ ପ୍ରଡକ୍ଟ’ (ଓଡିଓପି) ଗ୍ୟାଲେରୀ ଉଦ୍ଘାଟନ
କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।
ଗ୍ୟାଲେରୀରେ ଓଡିଶାର ବିଭିନ୍ନ ଜିଲ୍ଲାର ସ୍ୱତନ୍ତ୍ର କଳା ଓ ହସ୍ତଶିଳ୍ପ
ସ୍ଥାନ ପାଇଛି। ଏଥିରେ ସମ୍ବଲପୁରୀ ଶାଢ଼ି, କଟକର ମଣିଆବନ୍ଧା ହସ୍ତତନ୍ତ, କଟକର ରୂପା ତାରକସୀ, ରାୟଗଡ଼ାର
ଡୋଙ୍ଗରିଆ ଶାଲ, କେନ୍ଦୁଝରର ଟେରାକୋଟା ମୂର୍ତ୍ତି, ବାଲେଶ୍ୱରର ବ୍ଲାକ୍ ଗ୍ରାନାଇଟ୍ ଆଧୁନିକ ମୂର୍ତ୍ତି
ଏବଂ ପୁରୀର ପଟ୍ଟଚିତ୍ର ଓ ତାଳପତ୍ର ଖୋଦେଇ କଳା ପ୍ରଦର୍ଶିତ ହୋଇଛି।
ଏହି ପ୍ରଦର୍ଶନୀ ଓଡିଶାର କାରିଗରଙ୍କ ପାରମ୍ପରିକ ଦକ୍ଷତା, ସୃଜନଶୀଳତା ଓ
ସାଂସ୍କୃତିକ ପରିଚୟକୁ ବିଶ୍ୱ ବଜାର ସହ ଯୋଡ଼ିବାର ଏକ ପ୍ରମୁଖ ପଦକ୍ଷେପ। ଏହା ମାଧ୍ୟମରେ ମହିଳା
ଉଦ୍ୟୋଗୀଙ୍କୁ ନୂଆ ବଜାର, ଅଧିକ ରୋଜଗାର ଓ ଉଦ୍ୟମିତାର ସୁଯୋଗ ମିଳିବା ସହ
ଓଡିଶାର ପାରମ୍ପରିକ ଉତ୍ପାଦର ରପ୍ତାନି ସମ୍ଭାବନା ବଢ଼ିବ।
ସ୍ଥାନୀୟ କାରିଗରଙ୍କ କଳାକୁ ବିଶ୍ୱ ବଜାରରେ ପହଞ୍ଚାଇ ‘ଲୋକାଲ୍ ଟୁ
ଗ୍ଲୋବାଲ’ ଯାତ୍ରାକୁ ଆହୁରି ସୁଦୃଢ଼ କରିବାରେ ଓଡିଓପିଗ୍ୟାଲେରୀ ଏକ ନୂଆ
ଦିଗ ଦେଖାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା