
ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.)ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ଓଡ଼ିଶାର ୪୩ତମ ପ୍ରତିଷ୍ଠା ଦିବସ ସମାରୋହ ଆଜି ଭୁବନେଶ୍ୱରସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ନିଜ ଅଭିଭାଷଣରେ ମନ୍ତ୍ରୀ କହିଥିଲେ, “ବିଗତ ୪୩ ବର୍ଷ ଧରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିବେଶ ସୁରକ୍ଷା ପ୍ରତି ନିଜର ଦାୟିତ୍ୱ ନିଷ୍ଠା ଓ ସ୍ୱଚ୍ଛତାର ସହ ନିର୍ବାହ କରିଆସିଛି। ପ୍ରମୁଖ ସହର ଓ ଶିଳ୍ପାଞ୍ଚଳରେ ବାୟୁ ଗୁଣବତ୍ତା ନିରୀକ୍ଷଣ, ନଦୀ ଓ ଜଳାଶୟର ଜଳ ପରୀକ୍ଷା, ଶିଳ୍ପ ବର୍ଜ୍ୟଜଳ ଉପରେ ନଜର ରଖିବା ଏବଂ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁର ସୁପରିଚାଳନା ଦିଗରେ ବୋର୍ଡ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛି। ଡିଜିଟାଲ୍ ବ୍ୟବସ୍ଥା ଦ୍ୱାରା ଅନୁମତି ପ୍ରକ୍ରିୟା ଅଧିକ ସହଜ, ଦ୍ରୁତ ଓ ସ୍ୱଚ୍ଛ ହୋଇଛି। ଏହି ସବୁ ସଫଳତା ପଛରେ ବୋର୍ଡର ଇଞ୍ଜିନିୟର, ବୈଜ୍ଞାନିକ, ପ୍ରଶାସନିକ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ରହିଛି।”
ସେ ଆହୁରି କହିଥିଲେ, “ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣକୁ ଗୁରୁତ୍ୱ ଦେଇଆସିଛନ୍ତି। ତାଙ୍କଠାରୁ ପ୍ରେରଣା ନେଇ ବୁଦ୍ଧିଜୀବୀ ଓ ଯୁବପିଢ଼ି, ବିଶେଷକରି ଜେନ୍ ଜି, ପ୍ରଦୂଷଣ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ସହ ନିଜ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇବା ଆବଶ୍ୟକ। ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ହିଁ ଆମେ ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଢ଼ିପାରିବା।”
ଏହି ଅବସରରେ ଆଭାସୀ ମାଧ୍ୟମରେ କଟକ, କୋରାପୁଟ, ଝାରସୁଗୁଡ଼ା ଓ ସମ୍ବଲପୁରସ୍ଥିତ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଭବନଗୁଡ଼ିକର ଶିଳାନ୍ୟାସ କରାଯାଇଥିଲା। ଏଥିସହ ଡ୍ରୋନ୍ ବେସ୍ଡ ମନିଟରିଂ ସିଷ୍ଟମ୍ ଏବଂ ଏଆଇ ଚାଟ୍ବଟ୍ ମଧ୍ୟ ଆଭାସୀ ମାଧ୍ୟମରେ ଉନ୍ମୋଚିତ ହୋଇଥିଲା।
ସମାରୋହରେ ମନ୍ତ୍ରୀ ପରିବେଶ ସଚେତନତା ସମ୍ପର୍କିତ ଚାରିଟି ପ୍ରକାଶନ ଉନ୍ମୋଚନ କରିଥିଲେ। ସେଗୁଡ଼ିକ ହେଲା ମାଇକ୍ରୋ ଓ ନାନୋ ପ୍ଲାଷ୍ଟିକ୍ ସମ୍ବନ୍ଧୀୟ ପତ୍ରିକା, ଉତ୍କୃଷ୍ଟ କାର୍ଯ୍ୟପନ୍ଥା ପୁସ୍ତିକା, ଜଳ ପ୍ରଦୂଷଣ ଉପରେ ଆଧାରିତ ହାସ୍ୟରସାତ୍ମକ ଚିତ୍ରକଥା ବହି ଏବଂ ଅଂଶୀଦାରମାନଙ୍କ ପାଇଁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ମାର୍ଗଦର୍ଶିକା। ଏହାପରେ ଫ୍ଲାଇ ଆଶ୍ ମ୍ୟାନେଜମେଣ୍ଟ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଗୋଠପାଟଣାସ୍ଥିତ ନାଲ୍କୋ ରିସର୍ଚ୍ଚ ଓ ଟେକ୍ନୋଲୋଜି ସେଣ୍ଟର (ଏନ୍ଆର୍ଟିସି) ମଧ୍ୟରେ ବୁଝାମଣାପତ୍ର ଆଦାନପ୍ରଦାନ କରାଯାଇଥିଲା।
ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବର୍ଗର ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା। ଶିଳ୍ପାନୁଷ୍ଠାନ, ଖଣି ଓ ସ୍ୱାସ୍ଥ୍ୟସେବା ବର୍ଗରେ ‘ପରିବେଶ ପ୍ରଶଂସା ପତ୍ର’ ପ୍ରଦାନ କରାଯାଇଥିବାବେଳେ ଶିଳ୍ପ ଜନବସତି ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ପରିବେଶ ଉତ୍କର୍ଷ ପୁରସ୍କାର’ ପ୍ରଦାନ କରାଯାଇଥିଲା।
ସମାରୋହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଡ. କେ. ମୁରୁଗେସନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡ. ମନୋଜ ଭି. ନାୟାର ଏବଂ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା