
ଝାରସୁଗୁଡ଼ା, ୧୮ ସେପ୍ଟେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ସମେତ ୪ ଦଫା ଦାବି ନେଇ ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଚାଲିଥିବା ରିଲେ ଅନଶନ ଶୁକ୍ରବାର ୧୧ ଦିନରେ ପହଂଚିଛି। ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ପଦକ୍ଷେପ ଆସିନଥିବା ନେଇ ଆନ୍ଦୋଳନରତ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଛାତ୍ର ସାମ୍ମୁଖ୍ୟର ପ୍ରମୁଖ ଦାବି ମଧ୍ୟରେ ପୁରାତନ ଏଲ୍.ଏନ୍. କଲେଜର ସମ୍ପୂର୍ଣ୍ଣ ସରକାରୀକରଣ, ଝାରସୁଗୁଡ଼ା ଯାନ୍ତ୍ରିକ ସ୍କୁଲକୁ ଯାନ୍ତ୍ରିକ କଲେଜରେ ଉନ୍ନୀତ କରିବା, ଉପାନ୍ତ ୧୯ ଖଣ୍ଡ ମୌଜାରେ ସରକାରୀ ଡିଗ୍ରୀ କଲେଜ ସ୍ଥାପନ ଏବଂ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ରହିଛି।
ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ଜିଲ୍ଲାରେ ଉଚ୍ଚଶିକ୍ଷା ଓ ଚିକିତ୍ସା ଶିକ୍ଷାର ସୁଯୋଗ ବୃଦ୍ଧି ପାଇଁ ଏହି ଦାବିଗୁଡ଼ିକ ଦୀର୍ଘଦିନ ଧରି ଉଠାଯାଇଆସୁଛି। ଦାବି ନେଇ ଚାଲିଥିବା ରିଲେ ଅନଶନକୁ ବିଭିନ୍ନ ବର୍ଗର ଲୋକେ ସମର୍ଥନ ଜଣାଉଥିବା ସାମ୍ମୁଖ୍ୟ ପକ୍ଷରୁ କୁହାଯାଇଛି।
ଶୁକ୍ରବାର ଅନଶନସ୍ଥଳରେ ପୂର୍ବତନ ସରପଂଚ ବଳରାମ ପାଣ୍ଡେ, ଆଦିବାସୀ ନେତା ପ୍ରଭାକର ଓରାମ, ସମ୍ପାଦକ କ୍ଷେତ୍ରବାସୀ ସାହୁ, ସମାଜସେବୀ ରବୀନ୍ଦ୍ର ସୋହେଲା, ଜ୍ଞାନେନ୍ଦ୍ର ବେହେରା, ପ୍ରଦୀପ ସାହୁ ଓ ତ୍ରିଲୋଚନ ଡନସନା ପ୍ରମୁଖ ଉପସ୍ଥିତ ରହି ଛାତ୍ରମାନଙ୍କୁ ସମର୍ଥନ ଜଣାଇଥିଲେ।
ସନ୍ଧ୍ୟା ୫ଟାରେ ଜାତୀୟ ସଙ୍ଗୀତ ଗାନ ପରେ ୧୧ତମ ଦିନର ଅନଶନ ସ୍ଥଗିତ ରହିଥିଲା। ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ରିଲେ ଅନଶନ ଜାରି ରଖିବାକୁ ଛାତ୍ର ସାମ୍ମୁଖ୍ୟ ପକ୍ଷରୁ କୁହାଯାଇଛି। ସଭାପତି ଅସୀମ ପଟେଲ, ସଂଗଠନ ସମ୍ପାଦକ ଜିତେନ୍ଦ୍ରୀୟ ଧୁରୁଆ, ଉପସଭାପତି ରବି ରୋହିଦାସ ଓ ଯୁଗ୍ମ ସମ୍ପାଦକ ନନ୍ଦୁ ରୋହିଦାସଙ୍କ ନେତୃତ୍ୱରେ ଶନିବାର ସକାଳ ୧୦ଟାରୁ ୧୨ତମ ଦିନର ଅନଶନ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ଦୀର୍ଘ ୧୧ ଦିନ ଧରି ଆନ୍ଦୋଳନ ଜାରି ରହିଥିବାରୁ ଛାତ୍ର ସାମ୍ମୁଖ୍ୟର ଦାବି ଉପରେ ସରକାରଙ୍କ ପରବର୍ତୀ ପଦକ୍ଷେପ କ’ଣ ହେବ, ତାହା ଉପରେ ଏବେ ଜିଲ୍ଲାବାସୀଙ୍କ ନଜର ରହିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ