
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ଲୋୟର ପିଏମଜିରେ ଧାରଣା ପାଇଁ ଅନୁମତି ନ ମିଳିବା
ଘଟଣାରେ ଅତିରିକ୍ତ ଡିସିପିଙ୍କୁ ଭେଟିଲେ ଛାତ୍ର କଂଗ୍ରେସ ସଭାପତି। ଗତ ୯ ତାରିଖରେ ନିଜର
ନ୍ୟାର୍ଯ୍ୟ ଦାବି ନେଇ ଲୋୟର ପିଏମଜିରେ ଧାରଣା ଦେବା ପାଇଁ କ୍ୟାପିଟାଲ ଥାନାରେ ଅନୁମତି
ମାଗିଥିଲେ ସ୍ୱାସ୍ଥ୍ୟମିତ୍ରମାନେ। ହେଲେ ସେମାନଙ୍କୁ ଧାରଣା ପାଇଁ ଅନୁମତି ମିଳିନଥିଲା।
ବିଧାନସଭା ଚାଲୁଥିବା ସମୟରେ ଧାରଣା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପୋଲିସ ପକ୍ଷରୁ
କୁହାଯାଇଥିଲା। ଏହାକୁ ନେଇ ଆଜି ସ୍ୱାସ୍ଥ୍ୟମିତ୍ରମାନଙ୍କ ସହ ଛାତ୍ର କଂଗ୍ରେସ ସଭାପତି ବିଭୂତି
ଭୂଷଣ ମହାପାତ୍ର ଅତିରିକ୍ତ ଡିସିପିଙ୍କୁ ଭେଟି ଆଲୋଚନା କରିଥିଲେ। ଆଲୋଚନା ପରେ ଧାରଣା ପାଇଁ
ପୋଲିସ ଅନୁମତି ଦେବ ବୋଲି ଅତିରିକ୍ତ ଡିସିପି ସୂଚନା ଦେଇଥିବା କହିଛନ୍ତି ଛାତ୍ର କଂଗ୍ରେସ
ସଭାପତି। ଏଥିସହ ଅନେକ ସାମାଜିକ ସଂଗଠନକୁ ନିଜର ଦାବି ଉପସ୍ଥାପନ ପାଇଁ ସରକାର ଅନୁମତି
ଦେଉନଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ। ଏହା ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ବୋଲି
ଅଭିଯୋଗ କରିବା ସହ ଏ ଦିଗରେ ସରକାର ତୁରନ୍ତ ଧ୍ୟାନ ଦେବାକୁ ଦାବି କରିଛି। ନଚେତ ଏଭଳି
ଅରାଜକତାକୁ ଛାତ୍ର କଂଗ୍ରେସ କେବେ ବି ବରଦାସ୍ତ କରିବ ନାହିଁ ବୋଲି କହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା