ଭୁବନେଶ୍ୱର, ୧୧ ଅକ୍ଟୋବର (ହି.ସ.) - ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ବିଦେଶ ଗସ୍ତରେ ଯାଇଥିବାବେଳେ ବାର୍ବାଡୋସ୍ ର ବ୍ରିଜ୍ ଟାଉନ୍ ଠଳରେ ‘ରାଜ୍ୟଗୋଷ୍ଠୀ ଏକ ବୈଶ୍ୱିକ ସହଭାଗୀ ଓ ବେଜିଂ ୩୦ ପରଠାରୁ ସଂସଦ, ଲିଙ୍ଗଗତ ସମାନତା ପାଇଁ ପ୍ରଗତି, ଆହ୍ୱାନ ଓ ମାର୍ଗ’ ବିଷୟରେ ଆଲୋଚନାର ବିଷୟବସ୍ତୁ ଉପରେ ଅଂଶଗ୍ରହଣ କରି ‘ଆମର ଅନୁଷ୍ଠାନଗୁଡ଼ିକର ସଶକ୍ତିକରଣ ପାଇଁ ଗଣତନ୍ତ୍ରକୁ ସମର୍ଥନ’ ଉପରେ ନିଜର ଅଭିଭାଷଣ ରଖି କହିଲେ ଯେ ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଗଣତନ୍ତ୍ର କେବଳ ଏକ ରାଜନୈତିକ ବ୍ୟବସ୍ଥା ନୁହେଁ, ଏହା ଆମର ବିଶ୍ୱାସ, ଉତ୍ସାହ ଓ ଜୀବନଧାରଣର ମାର୍ଗ । ଗଣତନ୍ତ୍ର ଯେଉଁ ଚାରୋଟି ସ୍ତମ୍ଭ ଉପରେ ପ୍ରତିଷ୍ଠିତ, ସେଗୁଡ଼ିକ ହେଉଛି ବିଧାନସଭା, ନ୍ୟାୟପାଳିକା, କାର୍ଯ୍ୟପାଳିକା ଓ ଗଣମାଧ୍ୟମ । ତେବେ ମୁଖ୍ୟ କଥା ହେଉଛି ଏହି ଅନୁଷ୍ଠାନଗୁଡ଼ିକ ଯେତେ ସଶକ୍ତ ହେବ ଆମର ଗଣତନ୍ତ୍ର ସେତିକି ସମୃଦ୍ଧ ହୋଇପାରିବ । ତେଣୁ ଗଣତନ୍ତ୍ରକୁ ଆଗେଇ ନେବାକୁ ହେଲେ ସମସ୍ତ ସମ୍ପୃକ୍ତ ଅନୁଷ୍ଠାନକୁ ସଶକ୍ତ କରିବାକୁ ପଡ଼ିବ ।
ଆମ ବିଧାନସଭାରେ ଜନମତ ସଠିକ ଭାବରେ ଉପସ୍ଥାପିତ ହୋଇପାରିଲେ, ତା’ଉପରେ ଆଲୋଚନା, ତର୍କ, ବିତର୍କ ଓ ବିଶ୍ଳେଷଣ ହୋଇ ଜନଉପକାରୀ ଆଇନ ପ୍ରଣୟନ ହୋଇପାରିବ । ଫଳରେ ଗଣତନ୍ତ୍ର ପ୍ରତି ଜନସାଧାରଣଙ୍କର ଆସ୍ଥା ବୃଦ୍ଧି ପାଇବ । ସେହିପରି କାର୍ଯ୍ୟପାଳିକା ଏହି ଆଇନର ସଠିକ ଅନୁପାଳନ କ୍ଷେତ୍ରରେ ଆନ୍ତରିକତାର ସହ କାର୍ଯ୍ୟ କଲେ ଜନସାଧାରଣ ଉପକୃତ ହୋଇପାରିବେ । ସେହିପରି ନ୍ୟାୟପାଳିକା ଏ ସବୁର ଦୁରୁପଯୋଗ କ୍ଷେତ୍ରରେ ସତର୍କ ରହି ସଠିକ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଦ୍ୱାରା ଆଇନ୍?ର ଦୁରୁପଯୋଗ ଓ ଉଲ୍ଲଙ୍ଘନ ହୋଇପାରିବ ନାହିଁ । ଶେଷରେ ଗଣମାଧ୍ୟମ ହିଁ ଏସବୁର କାର୍ଯ୍ୟକାରିତାକୁ ନିରୀକ୍ଷଣ କରି ତ୍ରୁଟିଗୁଡ଼ିକୁ ସରକାରଙ୍କ ଦୃଷ୍ଟିକୁ ଆଣି ସଠିକ୍ ମାର୍ଗଦର୍ଶନ ଦେଇପାରିବ । ତା’ହେଲେ ଯାଇ ଆମର ଗଣତନ୍ତ୍ର ଆହୁରି ସଶକ୍ତ ଓ ସମୃଦ୍ଧ ହୋଇପାରିବ ଓ ଆମର ଗଣତନ୍ତ୍ରର ମହନୀୟତା ଓ ଗରିମା ବଜାୟ ରହିବ ବୋଲି ବାଚସ୍ପତି ପ୍ରକାଶ କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବା ପାଇଁ ବାଚସ୍ପତି ଅଗ୍ଦେୟଟାବର ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ଯାଇଛନ୍ତି । ଏହା ସହ ବାଚସ୍ପତି ସେଠାରେ ପ୍ରବାସୀ ଭାରତୀୟମାନଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା