ସମ୍ବଲପୁର, ୧୧ ଅକ୍ଟୋବର (ହି.ସ.) - ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ଠାରେ ୪୨, ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ କୃଷି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିସହିତ ପିଏମ୍ ଧନ-ଧାନ୍ୟ କୃଷି ଯୋଜନା ଏବଂ ଦଳହନ ଆତ୍ମନିର୍ଭରତା ମିଶନ ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାମାନ ଚାଷୀଙ୍କ ଆୟ ବୃଦ୍ଧି, କୃଷି ଉତ୍ପାଦନ ବିବିଧୀକରଣ, ଓ ଗ୍ରାମୀଣ ଅର୍ଥନୀତିର ଶକ୍ତିକରଣରେ ମୂଲ୍ୟବାନ ଭୂମିକା ନିର୍ବାହ କରିବ ବୋଲି ଆଶା ପ୍ରକାଶ ପାଇଛି । ଏହି ଅବସରରେ ଆଜି ସମ୍ବଲପୁର ଜିଲ୍ଲାରେ ମଧ୍ୟ ଓୟୁଏଟି, ଚିପିଲିମା, ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତଥା ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗ ଆନୁକୂଲ୍ୟରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରତିନିଧି ପୂର୍ବତନ ବିଧାୟକ ନାଉରି ନାୟକ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ଅତିରିକ୍ତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳାଇ, ମତ୍ସ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ସୁବ୍ରତ ଦାସ ପ୍ରମୁଖଙ୍କ ଗରିମାମୟ ଉପସ୍ଥିତିରେ ଅତ୍ୟାଧୁନିକ ସମନ୍ୱିତ ଆକ୍ୱାପାର୍କ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଶୁଭ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ, ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାୟକ ଏହି ଅତ୍ୟାଧୁନିକ ଆକ୍ୱାପାର୍କ ପ୍ରକଳ୍ପ ଚାଷୀ ମାନଙ୍କ ପାଇଁ ସହଜ ସୁବିଧା ଯୋଗାଇ ଦେବାରେ ମୁଖ୍ୟାଭୂମିକା ଗ୍ରହଣ କରିବା, ଯାହା ତାଙ୍କୁ ଆହୁରି ଉନ୍ନତ କରିପାରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ହୀରାକୁଦ ଅଂଚଳରେ ଆୟ ବୃଦ୍ଧି କରିବା ପାଇଁ ଅନେକ ସମ୍ଭାବନା ଅଛି। ସେଥିପାଇଁ ଚାଷୀ ଧନଧାନ୍ୟ ଯୋଜନାରେ ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କୁ ସବୁ କିଛି ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି।ଆଗାମୀ ଦିନରେ ଆମେ ହୀରାକୁଦର ରେସର୍ଭଏର ଭିତରେ ମାଛ ଚାଷ ଉତ୍ପାଦନ ବଢ଼ାଇବା ପାଇଁ ପଞ୍ଜୁରି ଚାଷ କରାଯାଉଛି, କେବଳ ଉତ୍ପାଦନ ନୁହେଁ , ବରଂ ସେ ଉତ୍ପାଦିତ ମାଛ କୁ କିପରି ବଜାରରେ ବିକ୍ରି କରିପାରିବା କ୍ଷେତ୍ରରେ ମଧ୍ୟ ଆମେ ଆତ୍ମ ନିର୍ଭର ହୋଇପାରିବୁ । ସେଥି ପାଇଁ ରାଜ୍ୟ ସରକାର ଙ୍କୁ ନିବେଦନ କରାଯାଇଛି। ଆଜିର ଏ ସୁଯୋଗ ହୀରାକୁଦ ସଙ୍ଗେ ସଙ୍ଗେ ଆକ୍ୱାପାର୍କରେ ମତ୍ସ୍ୟ ଚାଷ କ୍ଷେତ୍ରରେ ରିସର୍ଚ୍ଚ କରିପାରିବା ଓ ଅନେକ ସୁବିଧା ଯୋଗାଇ ଦେଇହେବ।ଆମେ ଯେତିକି ଉତ୍ପାଦନ କରୁଥିଲୁ ଏବେ ଆମେ ତାହାର ଦୁଇଗୁଣ ଉତ୍ପାଦନ କରିପାରିବା, ଯାହା ଆମ ଆୟ ବୃଦ୍ଧି କରିବ ଓ ଆତ୍ମ ନିର୍ଭର ହେବାରେ ସାହାଯ୍ୟ କରିବ । ଆଜି ପ୍ରଧାନମନ୍ତ୍ରୀଙ୍କ କରକମଳରେ ଚାଷି ଧନଧାନ୍ୟ ଯୋଜନାର ଶୁଭ ଉଦ୍ଘାଟନ ହେଉଛି ବୋଲି ସୂଚନା ଦେଇଥିଲେ । ଏହି ଯୋଜନାକୁ ଆଧାର କରି ଆଗକୁ ବଢିବାକୁ ଚେଷ୍ଟା କରିବା, ଯେମିତି ଆଗାମୀ ଦିନରେ ଚାଷ କ୍ଷେତ୍ରରେ ଓଡ଼ିଶା ପ୍ରଦେଶରେ ଆମେ ଏକ ନମ୍ବରରେ ରହିବା ପାଇଁ ଯେପରି ପୂର୍ବରୁ ପ୍ରୋତ୍ସାହିତ କରିଥିଲେ।
ସୂଚନାନୁଯାୟୀ ଏହି ସମନ୍ୱୟ ଆକ୍ୱାପାର୍କ ମାଛ ଚାଷରେ ଆଧୁନିକତା ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଯାହା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମୃଦ୍ଧି ଯୋଜନା ଅଧୀନରେ କାର୍ଯ୍ୟକାରୀ ହେବ। ଏହି ପ୍ରକଳ୍ପଟି ସମ୍ବଲପୁର ଜିଲ୍ଲାର ବସନ୍ତପୁର ଗାଁରେ ୯୫.୪୭୦ ଏକର ଭୂମି ଉପରେ ନିର୍ମିତ ହେବ । ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରାଳୟ ଦ୍ୱାରା ଅନୁମୋଦିତ ଏହି ପ୍ରକଳ୍ପର ମୋଟ ବ୍ୟୟ ୧୦୦ କୋଟି ଟଙ୍କା ରହିଛି । ଏହି ପାର୍କର ଅନେକ ବିଭାଗ ରହିଛି ଯାହା ମାଛ ଚାଷ ଓ ଜଳଜ ପ୍ରଜାତି ବିକାଶ ପାଇଁ ଏକ ସମ୍ପୂର୍ଣ୍ଣ ପରିସର ସୃଷ୍ଟି କରିବ। ଏଥିରେ ମତ୍ସ୍ୟ ପାର୍କ, ଭିତିଭୂମି ପାର୍କ, ମତ୍ସ୍ୟ ପ୍ରୋସେସିଙ୍ଗ୍ ପାର୍କ, ପ୍ୟାକିଙ୍ଗ୍ ଓ ନେଟ୍ ଆକ୍ସେସୋରିଜ୍ ପାର୍କ, ନଲେଜ୍ ପାର୍କ ଓ ଏଫ୍ଲୁଏଂଟ ଟ୍ରିଟମେଂଟ ପ୍ଲାଂଟ ରହିଛି।
ଉକ୍ତ କାର୍ଯ୍ୟକ୍ରମର ଶେଷରେ ଅତିରିକ୍ତ ସଚିବ ମତ୍ସ୍ୟଚାଷ ବିଭାଗ ପୂର୍ଣ୍ଣଚନ୍ଦ୍ର ଦଲେଇ ଧନ୍ୟବାଦ୍ ଭାଷଣ ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ