Odisha, 11 ଅକ୍ଟୋବର (ହି.ସ.)ଚମ୍ପୁଆ, (୧୧/୧୦) ଆଜି ଭୋର ସକାଳୁ ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାରାଣି ପଟ୍ଟାୟତଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ଅବକାରୀ ଇନସ୍ପେକ୍ଟର ଏଚ ଜଗା ରାଓ ଙ୍କ ତତ୍ତ୍ଵାବଧାନରେ ଯୋଡା, ବଡବିଲ , ଝୁମ୍ପୁରା ଅବକାରୀ ବିଭାଗ ସମେତ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ବାଡ ଓ ଝାଡଖଣ୍ଡ ପୋଲିସ ଚମ୍ପୁଆ - ଝାଡଖଣ୍ଡ ସୀମାନ୍ତରେ ବୈତରଣୀ ଓ କଙ୍ଗିରା ନଦୀ ପାର୍ଶ୍ଵରେ ଥିବା ସୀମାନ୍ତ ଗ୍ରାମ ଗୁଡିକରେ ମିଳିତ ଚଢାଉ କରି ବେଆଇନ ଭାବେ ପ୍ରସ୍ତୁତ କରାଯାଉଥିବା ବିପୁଳ ପରିମାଣର ମହୁଲ ପୋଚ ଓ ରନ୍ଧା ମଦ ଜବତ କରାଯାଇ ନଷ୍ଟ କରିଛନ୍ତି । ଚମ୍ପୁଆ-ଝାଡଖଣ୍ଡ ସୀମାନ୍ତ ଗ୍ରାମ ବୁରୁ ସାହି , ଘୁଟୁ ସାହି, ଖୁଣ୍ଟିଆପଦା ଗ୍ରାମରେ ୮୦୦୦ କିଗ୍ରା ମହୁଲ ପୋଚ ଓ ୯୦୦ ଲିଟର ଦେଶୀ ରନ୍ଧା ମଦ ସହ ମଦ ପ୍ରସ୍ତୁତ ହେଉଥିବା ସରଞ୍ଜାମ ଗୁଡ଼ିକୁ ଜବତ କରାଯାଇ ନଷ୍ଟ କରାଯିବା ନେଇ ଚମ୍ପୁଆ ଅବକାରୀ ନିରୀକ୍ଷକ ଏସ ଜଗାରାଓ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ କି ଚମ୍ପୁଆ ଓ ଝାଡଖଣ୍ଡ ସୀମାବର୍ତ୍ତୀ ଗ୍ରାମ ଗୁଡିକରେ ଦେଶୀ ରନ୍ଧା ମଦ ଏକ କୁଟୀର ଶିଳ୍ପ ର ରୂପ ନେଇ ସାରିଥିବା ବେଳେ ଏଥି ଯୋଗୁଁ ସ୍ଥାନୀୟ ଅଞ୍ଚଳ ରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଜିଲ୍ଲା ଅବକାରୀ ବିଭାଗ ଝାଡଖଣ୍ଡ ପୋଲିସ ପ୍ରଶାସନର ସହାୟତାରେ ନିୟମିତ ଭାବେ ଚଢାଉ ଜାରୀ ରଖିଛି। ଆଗାମୀ ଦିନରେ ଚଢାଉକୁ ଜୋରଦାର କରାଯିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଚଢ଼ାଉରେ ଚମ୍ପୁଆ ଅବକାରୀ ଓଆଇସି ବଟକୃଷ୍ଣ ରାଉତ, ଏଏସଆଇ ବିଜୟ କୁମାର ମହାନ୍ତଙ୍କ ସମେତ ଝାଡଖଣ୍ଡରୁ ଜଗନ୍ନାଥପୁର ଥାନା ପ୍ରଭାରୀ ଅବିନାଶ ହେମ୍ବ୍ରମ ସଦଳବଳେ ସାମିଲ୍ ହୋଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta