ବାରିପଦା, ୧୧ ଅକ୍ଟୋବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମପଞ୍ଚାୟତ ଅଧୀନ ଦେଉଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନୂତନ ଭାବେ ଏକ ଅତ୍ୟାଧୁନିକ ଅତିରିକ୍ତ ଶ୍ରେଣୀ ଗୃହର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଖୋଦ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ନିମ୍ନ ମାନର ଉକ୍ତ ନିର୍ମାଣ କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ନିର୍ମାଣ କାର୍ଯ୍ୟ ତ୍ୱରିତ ହୋଇ ଛାତ ଢ଼ଳାଇ ପର୍ଯ୍ୟନ୍ତ ପହଞ୍ଚି ଗଲାଣି କିନ୍ତୁ ଏ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସ୍ଥଳରେ କୌଣସି ସୂଚନା ଫଳକ ନାହିଁ। ଯାହା ଫଳରେ କାର୍ଯ୍ୟ କେଉଁ ବିଭାଗ ଓ ଅଟକଳ ମୂଲ୍ୟ କେତେ ତାହା ଜଣାପଡୁନାହିଁ। କାରଣ ଏହି ଶ୍ରେଣୀ ଗୃହ କାର୍ଯ୍ୟଟି ଅତି ନିମ୍ନ ମାନର ହେଉଛି ବୋଲି ବିଦ୍ୟାଳୟର କର୍ତ୍ତୃପକ୍ଷ ଓ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଉକ୍ତ ଗୃହ ନିର୍ମାଣ ପାଇଁ ଆନୁମାନିକ ମୂଲ୍ୟ ୧୫,୫୪,୨୨୭ ଟଙ୍କା ଥିବାବେଳେ ବ୍ଲକରେ ଟେଣ୍ଡର ହୋଇଥିଲା। ଶ୍ରେଣୀ ଗୃହ ପ୍ଲିନ୍ତ୍ ଓ କଲମରେ ନିମ୍ନମାନର ରୋଡ ସହିତ କମ୍ପାକସନ ପାଇଁ ଭାଇବ୍ରେଟର ବ୍ୟବହାର କରାଯାଇନାହିଁ। ଯାହା ଫଳରେ ବିଦ୍ୟାଳୟର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରେଣୀ ଗୃହ ଗୁଡ଼ିକ ମଧ୍ୟରେ ଫିଲିଂ ପାଇଁ ବାଲି ବଦଳରେ ମୋରମ ଓ ମାଟି ବ୍ୟବହାର କରାଯାଇଛି। ମୋରମ ଓ ମାଟି ଭର୍ତ୍ତି କରି ତା' ଉପରେ କଂକ୍ରିଟ କରାଯାଇଥିବାର ଅଭିଯୋଗ କରିଛନ୍ତି। ନିମ୍ନମାନ ଇଟା, ମେଟାରିଆଲ୍ସ ସହ ଭାଗ ମାପ ମଧ୍ୟ ଠିକ୍ ହେଉନଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏ ବାବଦରେ ଶୁଳିଆପଦା ବ୍ଲକ ଯନ୍ତ୍ରୀ ତପନ କୁମାର ଦାସ ଓ ସହକାରୀ ଯନ୍ତ୍ରୀ ଅମଜାଦା ଅଲ୍ଲୀ କାର୍ଯ୍ୟ ସବୁ କିଛି ଠିକ୍ ଭାବେ ଚାଲିଛି ବୋଲି କହିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟଟି ନିମ୍ନମାନର ହେଉଛି ବୋଲି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବା ପରେ ଠିକାଦାର ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଛନ୍ତି। କୁନି କୁନି ପିଲାଙ୍କ ପାଇଁ ଶ୍ରେଣୀ ଗୃହ ହେଉଥିବା ବେଳେ ତାଙ୍କ ଜୀବନ ସହ ଖେଳିବା ସଦୃଶ୍ୟ ଅଟେ। ଏହି କାର୍ଯ୍ୟରେ ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ପିସି କାରବାର ଥିବାରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ