ସମ୍ପୂର୍ଣ୍ଣକ୍ରାନ୍ତିର ମହାନାୟକ ଥିଲେ ଜୟପ୍ରକାଶ’
ସେବା ଓ ତ୍ୟାଗର ଅବିସ୍ମରଣୀୟ ପ୍ରତୀକ ବାଜି ରାଉତ ଭୁବନେଶ୍ୱର, ୧୧ ଅକ୍ଟୋବର (ହି.ସ.) - ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶହୀଦ ବାଜି ରାଉତ ମେମୋରିଆଲ୍ ଫାଉଣ୍ଡେସନ୍ ର ମଳିତ ଆନୁକୂଲ୍ୟରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ପବିତ୍ର ଜୟନ୍ତୀ ଓ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧଦିବସ ଜୟଦେବ ଭବନଠାରେ ପା
ସମ୍ପୂର୍ଣ୍ଣକ୍ରାନ୍ତିର ମହାନାୟକ ଥିଲେ ଜୟପ୍ରକାଶ’


ସେବା ଓ ତ୍ୟାଗର ଅବିସ୍ମରଣୀୟ ପ୍ରତୀକ ବାଜି ରାଉତ

ଭୁବନେଶ୍ୱର, ୧୧ ଅକ୍ଟୋବର (ହି.ସ.) - ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶହୀଦ ବାଜି ରାଉତ ମେମୋରିଆଲ୍ ଫାଉଣ୍ଡେସନ୍ ର ମଳିତ ଆନୁକୂଲ୍ୟରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ପବିତ୍ର ଜୟନ୍ତୀ ଓ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧଦିବସ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେ ଯେ ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ଜୟପ୍ରକାଶ ନାରାୟଣଙ୍କର ଜୀବନବ୍ୟାପୀ ସଂଗ୍ରାମ ତାଙ୍କୁ ଆଧୁନିକ ଭାରତର ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି । ସେ ଥିଲେ ଜଣେ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ବିଚକ୍ଷଣ ବ୍ୟକ୍ତିତ୍ୱର ଅଧିକାରୀ, ସମାଜବାଦୀ ଆଦର୍ଶର ଅନ୍ୟତମ ପ୍ରବକ୍ତା, ବିଚକ୍ଷଣ ରାଜନୀତିଜ୍ଞ ଓ ସାମାଜିକ ନ୍ୟାୟ ପାଇଁ ଅଙ୍ଗୀକାରବଦ୍ଧ ଜନନେତା । ସେ ଥିଲେ ସମ୍ପୂର୍ଣ କ୍ରାନ୍ତିର ମହାନାୟକ । ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସମ୍ବିଧାନର ସୁରକ୍ଷା ପାଇଁ ତାଙ୍କ ଅବଦାନ ଚିରସ୍ମରଣୀୟ ରହିବ । ତାଙ୍କର ଉଚ୍ଚ ଆଦର୍ଶ ଓ ବଳିଷ୍ଠ ନେତୃତ୍ୱ ଭାରତୀୟ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ, ରାଜନୈତିକ ଆଦର୍ଶ ଏବଂ ଏକଛତ୍ରବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ସେ ଅମର ହୋଇ ରହିବେ ।

ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି ମଧ୍ୟ କହିଲେ ଯେ ସେବା ଓ ତ୍ୟାଗର ଅବିସ୍ମରଣୀୟ ପ୍ରତୀକ ଥିଲେ ବାଜି ରାଉତ । ୧୨ ବର୍ଷର ବୀର ବାଳକ ବାଜିରାଉତଙ୍କର ବଳିଦାନ ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼ିବାକୁ ହଜାର ହଜାର ସଂଗ୍ରାମୀ ସୃଷ୍ଟି କରିଥିଲା । ବାଜି ରାଉତଙ୍କ ପୈତୃକ ଗ୍ରାମ ନୀଳକଣ୍ଠପୁରର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏହି ଅର୍ଥରାଶିରେ ପାଠାଗାର, ପାର୍କ, ମ୍ୟୁଜିୟମ୍ ଏବଂ ଆନୁଷଙ୍ଗିକ ଭିତ୍ତିଭୂମିର ଉନ୍ନତିକରଣ କରାଯିବ । ଏତଦ୍ ବ୍ୟତୀତ ଢେଙ୍କାନାଳର ବାଜି ରାଉତ ଛକଠାରେ ବାଜି ରାଉତଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଏଥି ନିମନ୍ତେ ୨ କୋଟି ଟଙ୍କାର ବ୍ୟୟବରାଦ କରାଯିବ । ଆଗାମୀ ଦିନରେ ଏହି ସର୍ବ କନିଷ୍ଠ ସହିଦଙ୍କର ତ୍ୟାଗପୁତ ଜୀବନ କେବଳ ଓଡିଶା ନୁହେଁ ସାରା ଭାରତ ବର୍ଷ ଜାଣିବା ପାଇଁ ପ୍ରୟାସ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଆହ୍‌?ାନ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ଜୟପ୍ରକାଶ ନାରାୟଣଙ୍କର ଜୀବନବ୍ୟାପୀ ସଂଗ୍ରାମ ତାଙ୍କୁ ଆଧୁନିକ ଭାରତର ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି । ଆଜିର ଯୁବପିଢି ବାଜି ଓ ଜୟପ୍ରକାଶଙ୍କ ଆଦର୍ଶରୁ ଶିଖି ନିଜେ ରାଷ୍ଟ୍ରନିର୍ମାଣର ଯାତ୍ରାରେ ଅଂଶୀଦାର ହୁଅନ୍ତୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ଗବେଷକ ତଥା ସୁବକ୍ତା ସଚ୍ଚିଦାନନ୍ଦ ବେହେରା କହିଲେ ଯେ, ଲୋକନାୟକ ଜୟପ୍ରକାଶ ନାରାୟଣ ଥିଲେ ଜନଶକ୍ତିର ଜାଗ୍ରତ ପ୍ରହରୀ । ତାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ ଦେଶର ଯୁବପିଢିକୁ ଜାଗ୍ରତ କରିଥିଲା । ଜୟପ୍ରକାଶ ନାରାୟଣଙ୍କ ଜୀବନ ଆମକୁ ଶିଖାଏ ଯେ ସତ୍ୟ, ନୀତି ଓ ସେବା ହିଁ ସର୍ବୋତ୍କୃଷ୍ଟ ରାଜଧର୍ମ । ସେଥିପାଇଁ ତାଙ୍କ ନାମ ପଛରେ ଯୋଡି ହେଇଥିଲା ଲୋକନାୟକ ଓ ଭାରତରନି । ଶ୍ରୀ ବେହେରା ଅମର ଶହୀଦ ବାଜିରାଉତଙ୍କ ଜୀବନୀ ଉପରେ ଆଲୋକପାତ କରି ତାଙ୍କୁ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତର ସର୍ବକନିଷ୍ଠ ଶହୀଦ ବୋଲି ମତ ଦେଇଥିଲେ । ତାଙ୍କର ବଳିଦାନ, ବୀରତ୍ୱ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ମନରେ ପ୍ରେରଣା ଓ ଜାତୀୟତାର ଭାବ ଉଦ୍ରେକ କରିଥିଲା ବୋଲି ସେ ମତ ଦେଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜି ରାଉତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିବାବେଳେ ଓଡିଶା ମ୍ୟୁଜିକ ହେରିଟେଜ ତରଫରୁ ପ୍ରାରମ୍ଭିକ ସଂଗୀତ ଗାନ କରା ଯାଇଥିଲା । ଶହୀଦ ବାଜି ରାଉତ ମେମୋରିଆଲ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ଆଇଚ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ , ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁରବୀର ସିଂହ, ଜୟଦେବ ଭବନର ଉପ ନିର୍ଦ୍ଦେଶକ ଦିପ୍ତିମୟୀ ମହାପାତ୍ର, ଉପ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande