ଭୁବନେଶ୍ୱର, ୧୧ ଅକ୍ଟୋବର (ହି.ସ.) - କଟନ ଆସୋସିଏସନ ଅଫ ଓଡ଼ିଶାର ସଦସ୍ୟମାନେ ଶନିବାର କୃଷି ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ । ସାକ୍ଷାତ ଅବସରରେ କପା ଚାଷ ତଥା ବିପଣନ ବେଳେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଉପମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଉପମୁଖ୍ୟମନ୍ତ୍ରୀ ବିସ୍ତୃତ ଭାବେ ସେମାନଙ୍କ ସମସ୍ୟା ଶୁଣିଥିଲେ ଏବଂ କଟନ କର୍ପୋରେସନ ଅଫ ଇଣ୍ଡିଆ ସହ ଆଲୋଚନା କରି ଏ ବିଷୟରେ ଆବଶ୍ୟକ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଆସନ୍ତା ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରି ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଉତ୍ପାଦିତ କପା ଦେଶର ଅନ୍ୟତମ ଉତ୍କୃଷ୍ଟ କପା ଭିତରେ ଗଣାଯାଏ । ଏହାର ଲମ୍ବା ଷ୍ଟେପଲ ଓ ଦୀର୍ଘ ଅବଧି ଗୁଣ ଯୋଗୁଁ ବୁଣାକାରଙ୍କ ପ୍ରଥମ ପସନ୍ଦ ହୋଇଥାଏ । ବୈଠକରେ କୃଷି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଲିଟି ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ନନ୍ଦିନୀ ଦଳାଇ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା