ବାରିପଦା, ୧୧ ଅକ୍ଟୋବର (ହି.ସ.)- ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ପରିଚାଳିତ ବିଜେପି ସରକାର ଅଧ୍ୟାପକମାନଙ୍କୁ ପ୍ରତାରିତ କରିଛନ୍ତି। ଗତ ୧୦ ବର୍ଷର ଅନୁଦାନ ରାଶି ଅଧ୍ୟାପକ ମାନଙ୍କୁ ପ୍ରଦାନ କରିବା ନେଇ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ଏନେଇ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅନୁଦାନ ରାଶି ପ୍ରଦାନ କରିବା ନେଇ ଦାବି ଉପସ୍ଥାପନ କରିଛନ୍ତି। ଜିଲ୍ଲା କମିଟି ପକ୍ଷରୁ ବାରିପଦା ସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ଭବନ ଠାରେ ଜିଲ୍ଲା ସଭାପତିଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜନ କରାଯାଇଛି। ଗତ ୨୦୦୮ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଅଧ୍ୟାପକ ମାନେ ତାଙ୍କର ଅନୁଦାନ ରାଶି ପାଇ ନାହାଁନ୍ତି। ଯାହାକୁ ନେଇ ସେମାନେ ବାରମ୍ବାର ଦାବି ଉପସ୍ଥାପନ କରିଛନ୍ତି। କିନ୍ତୁ ବିଜେପି ସରକାର ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଅନୁଦାନ ରାଶି ପ୍ରଦାନ କରିବାକୁ ସଂଘ ପକ୍ଷରୁ ଭୁବନେଶ୍ୱର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ସମୟରେ ମୁଖ୍ୟମନ୍ତ୍ରୀ ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅକ୍ଟୋବର ୧୦ ତାରିଖରେ ଦାବି ପୂରଣ ହେବ ବୋଲି କହିଥିଲେ। କିନ୍ତୁ, ବର୍ତ୍ତମାନ ପର୍ଯ୍ୟନ୍ତ ସେନେଇ କୌଣସି ପ୍ରକ୍ରିୟା ହୋଇନାହିଁ ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ମୁଖ୍ୟମନ୍ତ୍ରୀ ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ପାଇଁ ଅଧ୍ୟାପକ ମାନେ ଆଜି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଗକୁ ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ