ବଲାଙ୍ଗିର, ୧୧ ଅକ୍ଟୋବର (ହି.ସ.)- ବଲାଙ୍ଗୀର ଠାରେ ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତରଫରୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଆଜି ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିକାରୀ ସୁଷମା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଡ଼ିଏସପି କମଳ କୁମାର ପଣ୍ଡା, ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା, ଶ୍ରୀମତୀ କସ୍ତୁରୀ ରଥ, ପୋଲିସ ସବ ଇନ୍ସପେକଟର ଅଲେଖ ଗରଡିଆ, ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ଯୋଗାଯୋଗ ଅଧିକାରୀ ଆନନ୍ଦ ମିଶ୍ର ଯୋଗ ଦେଇଥିଲା ବେଳେ ଅଧ୍ୟାପକ ସନ୍ଦୀପ କୁମାର କୁଅଁର ସାଧନ କର୍ମୀ ତଥା ବକ୍ତା ଭାବରେ ଯୋଗଦେଇ ଥିଲେ।
ପ୍ରାରମ୍ଭରେ ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିକାରୀ ସୁଷମା ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିଥିମାନେ ନାରୀର ଅଧିକାର ଓ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ସାଧନ କର୍ମୀ ତଥା ବକ୍ତା ଅଧ୍ୟାପକ ସନ୍ଦୀପ କୁମାର କୁଅଁର ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସର ବିଷୟ କିଶୋରୀ ମାନଙ୍କ ମଧ୍ୟରେ ନେତୃତ୍ୱ ବିକାଶର ମାଧ୍ୟମ, ସମାନତା, ସୁଯୋଗ, ଅଧିକାର, ବିଷୟରେ ମାର୍ଗଦର୍ଶନ କରିଥିଲେ। ଜିଲ୍ଲା ମମତା ଯୋଜନା ଅଧିକାରୀ ଶିବାନୀ ଠାକୁର ସଭା ପରିଚାଳନା କରିଥିଲା ବେଳେ ପିରାମଲ ଫାଉଂଡେସନ ର ଦେବୀପ୍ରସାଦ ଓ ଅନ୍ୟମାନେ କିଶୋରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, କୁଇଜ଼ ପରିଚାଳନା କରିଥିଲେ। ପାର୍ବତୀଗିରି ବାଳ ନିକେତନ ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଲକ ର କିଶୋରୀ ମାନେ ତଥା ଅଙ୍ଗନବାଡି କର୍ମୀ, ସୁପରଭାଇଜର, ସିଡିପିଓ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ