ଧର୍ମଶାଳା,୧୧ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ବଡ଼କାଏମା ପଂଚାୟତରେ ଗରିବ ଚାଳ ଛପର ପରିବାର ଲୋକଙ୍କୁ ଜରି ପାଲ ଦିଆ ଯିବା ପରିବର୍ତେ ଧନୀ ଶ୍ରେଣୀର ଲୋକଙ୍କୁ ଜରି ପାଲ ବଂଟନ କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା କାରଣରୁ , ଅସହାୟ ଗରିବ ଚାଳ ଛପର ଘରେ ବସବାସ କରୁଥିବା ଲୋକ ମାନଙ୍କୁ ବର୍ଷା ଦାଉରୁ ସୁରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ପାଲ ଯୋଗା ଦେବାର ବ୍ୟବସ୍ଥା କରିଛନ୍ତି । ସେଥି ପାଇଁ ସ୍ଥାନୀୟ ଆର ଆଇ ଙ୍କ ରିପୋର୍ଟ ଅନୁସାରେ ତହସିଲ ପ୍ରଶାସନ ପକ୍ଷରୁ ପାଲ ବଂଟନ କରାଯାଉଛି। ହେଲେ ଗରିବ ହିତାଧିକାରୀ ମାନଙ୍କୁ ପାଲ ବଂଟନ କ୍ଷେତ୍ରରେ ଅନିୟମିତତା ହୋଇଥିବା ନେଇ ବଡକାଏମା ପଂଚାୟତ ନାଉପାଲ ଗ୍ରାମର କେତେକ ବାସିନ୍ଦା ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ଗାଁ ରେ କିଛି ଅସାଧୁ ବ୍ୟକ୍ତି ଯେଉଁ ମାନଙ୍କ ର କୋଠାଘର ରହିଛି ସେମାନେ କିଛି ଦଳୀୟ କର୍ମୀ ଙ୍କ ସହାୟତାରେ ପାଲ କୁ ହାତେଇ ନେଇଛନ୍ତି। ଯାହା ଫଳରେ ପ୍ରକୃତ ଗରିବ ଅସହାୟ ବ୍ୟକ୍ତି ମାନେ ପାଲ ଅଭାବରୁ ଭଙ୍ଗା ଚାଳ ଛପର ଘରେ ବର୍ଷା ପାଣି ରେ ହଇରାଣ ହରକତ ହୋଇ ଜୀବନ କାଟୁଛନ୍ତି । ସେହିପରି ଏହି ପଂଚାୟତ ଅନନ୍ତପୁରଗାଁ ର ବିଲସାହି ରେ ଥିବା ୫ରୁ ଉର୍ଦ୍ଧ ପରିବାର ଚାଳ ଛପର ଘରେ ବସବାସ କରୁଥିବା ବେଳେ ସେମାନଙ୍କ ପାଖେ ଖଣ୍ଡେ ହେଲେ ଜରି ପାଲ ପହଂଚି ପାରିନଥିବା ସ୍ଥାନୀୟ ଗୋବିନ୍ଦ ମଳିକ ଅଭିଯୋଗ କରିଛନ୍ତି। ଲୋକେ ଭଙ୍ଗା ଘରେ ପାଲ ପକାଇବା ପାଇଁ ପାଉନଥିବା ବେଳେ କିଛି ଅସାଧୁ ଲୋକେ କୋଠା ଘରରେ ରହି ଜରିପାଲ ହାତେଇ ନେଉôତବା ଜଣାପଡିଛି । ପାଲ ବଂଟନରେ ହେଉଥିବା କୁ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ନିକଟରେ ପହଂଚାଇବା ପାଇଁ କିଛି ଗ୍ରାମବାସୀ ନିବେଦନ କରିଛନ୍ତି। ଏ ଘଟଣା ଉପରେ ବିଧାୟକ ଏବଂ ପ୍ରଶାସନ ଦୃଷ୍ଟି ଦେବାକୁୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏ ସଂକ୍ରାନ୍ତରେ କାଏମା ଆର ଆଇ ମାନସ ବେଜଙ୍କୁ ପଚାରିବାରୁ ସେଭଳି କୌଣସି ଅନିୟମିତତା ହୋଇ ନଥିବା କହିଥିବା ବେଳେ ପାଲ କମ ଥିବାରୁ ପ୍ରଥମେ ଆବେଦନ କରିଥିବା ଲୋକଙ୍କୁ ବଂଟନ କରାଯାଇଚି ଏବଂ ବାଦ ପଡିଥିବା ହିତାଧିକାରୀଙ୍କୁ ଯଥାଶୀଘ୍ର ପାଲ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ