ଧର୍ମଶାଳା,୧୧ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଓ ଚଣ୍ଡିଖୋଲ ଅଂଚଳରେ ଆଇନଶୃଙ୍ଖଳା ପରିସ୍ଥିତି କୁ ସୃଦୃଢ଼ କରିବା ନିମନ୍ତେ ଏକ ଏସଡିପିଓ କାର୍ଯ୍ୟାଳୟ ସ୍ଥାପନ କରାଯିବା ନେଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ବିଧାନ ସଭାରେ ପ୍ରସ୍ତାବ ରଖିଥିଲେ । ଏହି ପ୍ରସ୍ତାବ କ୍ରମେ ଚଣ୍ଡିଖୋଲ ଠାରେ ଏକ ନୂତନ ଏସଡିପିଓଙ୍କ କାର୍ଯ୍ୟାଳୟ ସ୍ଥାପନ କରାଯିବା ନେଇ ଓଡ଼ିଶା ସରକାର ଙ୍କ ପକ୍ଷରୁ ଚିଠି ହୋଇଛି। ଜିଲ୍ଲାରେ ଯାଜପୁର ରୋଡ ଏବଂ ଯାଜପୁର ଟାଉନ ଦୁଇଟି ଏସଡିପିଓ କାର୍ଯ୍ୟାଳୟ ରହିଛି। ଯାଜପୁର ରୋଡ ସ୍ଥିତ ଏସଡିପିଓ ଙ୍କ ଅଧୀନରେ ୧୦ଟି ଥାନା ଏବଂ ଗୋଟିଏ ଟ୍ରାଫିକ ଥାନା ରହିଛି। ଯାଜପୁର ରୋଡ ସ୍ଥିତ ଏସଡିପିଓ ଙ୍କ କାର୍ଯ୍ୟାଳୟ ଠାରୁ ଧର୍ମଶାଳା , ଜେନାପୁର , ବଡ଼ଚଣା , ବୈରି, ବାଲିଚ୍ନ୍ଦ୍ରପୁର ଭଳି ବିଭିନ୍ନ ଥାନାର ଦୂରତା ଯଥେଷ୍ଟ ରହିଛି । ଯାହାଫଳରେ କୌଣସି ଅପରାଧିକ କାର୍ଯ୍ୟକଳାପ ରୋକିବାରେ ସମସ୍ୟା ଦେଖାଦେଉଛି । ଚଣ୍ଡିଖୋଲ ଓ ଏହାର ଆଖପାଖ ଅଂଚଳରେ ଦିନକୁ ଦିନ ନିଶା କାରବାର ବଢିବା ସହ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ତେଣୁ ଏହି ଅଂଚଳରେ ଏକ ନୂତନ ଏସଡିପିଓ କାର୍ଯ୍ୟାଳୟ ସ୍ଥାପନ ନିମନ୍ତେ ବିଧାୟକ ଶ୍ରୀ ସହୁ ଅକ୍ଟୋବର ମାସ ୨୨ତାରିଖ ରେ ବିଧାନସଭା ଅଧିବେଶନରେ ପ୍ରଶ୍ନ କରିଥିଲେ । ସରକାର ଏହାକୁ ଗୁରୁତର ସହ ନେଇ ତୁରନ୍ତ କାର୍ଯ୍ୟାଳୟ ଖୋଲିବା ପାଇଁ ମଞ୍ଜୁରୀ ପ୍ରଦାନ କରିବା ପରେ ବିଧାୟକ ହିମାଂଶୁ ଶେଖର ସାହୁ ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ