ସମ୍ବଲପୁର, ୧୨ ଅକ୍ଟୋବର(ହି.ସ.) – ଶାରଦୀୟ ପୂଜା ମାହୋଲରେ କିଛି ବେଲୁନ ବିକ୍ରି କରି ଦୁଇ ପଇସା ରୋଜଗାର ଆଶାରେ ସ୍ଥାନ ଅଭାବରୁ ରାମଲାଲ ଅଗ୍ରୱାଲଙ୍କ ଦୋକାନ ସାମ୍ନାରେ ଗୁଡୁ ରଜତ ନାମକ ବ୍ୟକ୍ତି ବେଲୁନ ବିକ୍ରି କରୁଥିଲା। ମାତ୍ର ରାମଲାଲଙ୍କ ବେପାରରେ ବାଧା ହେବା ଦର୍ଶାଇ ସେଠାରୁ ବାହାରି ଯିବା ପାଇଁ ତାଗିଦ୍ କରିଥିଲେ। ମାତ୍ର ପରବର୍ତୀ ସମୟରେ ଦୋକାନ ସାମ୍ନାରେ ବେଲୁନ ବିକ୍ରିକୁ ନେଇ ତିକ୍ତତାର ଚରମ ସୀମାରେ ଗୁଡୁକୁ ମରଣାନ୍ତକ ଆକ୍ରମଣ ଓ ଶେଷରେ ହତ୍ୟାଭଳି ଅପରାଧ ଚଳିତ ଶାରଦୀୟ ପୂଜା ମାହୋଲକୁ ଅପନିନ୍ଦିତ କରାଇଥିଲା। ଗୁଡୁ ହତ୍ୟାକାଣ୍ଡକୁ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ୨୭୯/୨୫ ଏକ ମାମଲା ରୁଜୁ କରି ତଦନ୍ତରେ ସୀମିତ ରହିଥିଲା। ପରବର୍ତୀ ସମୟରେ ଏହାକୁ ନେଇ ବିଭିନ୍ନ ମହଲରୁ ଚାପ ପଡିବା ପରେ ଘଟଣାର ୫ ଦିନ ପରେ କୁଚିଣ୍ଡା ଥାନା ପୋଲିସ କୁଚିଣ୍ଡା ଏନ୍ଏସିର ୬ ନମ୍ବର ୱାର୍ଡର ୪୭ ବର୍ଷିୟ ରାମଲାଲ ଅଗ୍ରୱାଲ ଓ କୁଚିଣ୍ଡା ପଂଚମୁଖୀ ଛକର ୪୫ ବର୍ଷିୟ ପଙ୍କଜ ଅଗ୍ରୱାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ଇତି ମଧ୍ୟରେ ଘଟଣାର ୧୦ ଦିନ ବିତି ଯାଇଥିଲେ ମଧ୍ୟ ସମ୍ପୃକ୍ତ ଅନ୍ୟ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିନଥିବାରୁ ଉପଖଣ୍ଡ ପୋଲିସ ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣା ଦିନ ମୋଟ ୫ଜଣ ବାବା, କାକା ଓ ପୁଅ ପୁତୁରା ସଂଘବଦ୍ଧ ଭାବେ ଗୁଡୁକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏବେ ଏହି ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଧରିଛି ଯେ' ପୋଲିସର ଗିରଫଦାରିକୁ ଏଡାଇବା ପାଇଁ ସଂପୃକ୍ତ ତିନି ଅଭିଯୁକ୍ତ ବାହାର ରାଜ୍ୟର ଆତ୍ମୀୟଙ୍କ ଘରେ ଆତ୍ମଗୋପନ କରିଛନ୍ତି। ସମ୍ବଲପୁର ଜିଲ୍ଲା ଜମନନକିରା ବ୍ଲକ୍ ଗୁଣ୍ଡୁରୁ ଚୂଆଁ ପଂଚାୟତ ବନ୍ଧପାଲି ଗ୍ରାମର ଗୁଡୁ ରଜତ ବେଲୁନ୍ ବିକାଳୀକୁ ସାର୍ବଜନୀନ ଦଶହରାରେ ସଙ୍ଘବଦ୍ଧ ଆକ୍ରମଣ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସମୟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୁବ୍ଶିଘ୍ର ଗିରଫ କରାଯିବାର ଦୃଢୋକ୍ତି ପ୍ରକାଶ କରିଥିଲେ ମଧ୍ୟ ଇତିମଧ୍ୟରେ ୧୦ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ଥିବା ଦେଖାଯାଇଛି। ତେବେ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଫେରାର ଅନ୍ୟ ତିନି ସମ୍ପୃକ୍ତ ଅଭିଯୁକ୍ତଙ୍କୁ କେବେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବ ତାକୁ ହିଁ ଦେଖିବାକୁ ଅପେକ୍ଷା।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ