ବଲାଙ୍ଗିର, ୧୨ ଅକ୍ଟୋବର (ହି.ସ.)- ରାସ୍ତା ଉପରେ ବୁଲୁଥିବା ଗାଈମାନଙ୍କ ଯୋଗୁ ହେଉଥିବା ଦୁର୍ଘଟଣାକୁ ରୋକିବା ଏବଂ ଚାଳକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜିଠୁ ଗୋଟିଏ ନୂଆ ଶୁଭ ପ୍ରୟାସ ଆରମ୍ଭ କରାଯାଇଛି। ବଲାଙ୍ଗିର ଜିଲ୍ଲା ପୋଲିସ, କର୍ତ୍ତବ୍ୟ ଫାଉଣ୍ଡେସନ ଏବଂ ବିଜେପି ଯୁବ ମୋର୍ଚ୍ଚାଙ୍କ ମିଳିତ ଉଦ୍ୟମରେ ଗାଈମାନଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧିବା କାର୍ଯ୍ୟ ଆଜି ସର୍କିଟ୍ ହାଉସ ରାସ୍ତାର ବାବା ଟାଙ୍ଗେଶ୍ୱର୍ ମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇଛି। ଏହି ରେଡିୟମ ବେଲ୍ଟ ରାତି ସମୟରେ ଗାଡିର ଆଲୋକରେ ଚମକି ଉଠିବ, ଯାହା ଚାଳକମାନଙ୍କୁ ଗାଈ ଥିବା ସ୍ଥାନ ଚିହ୍ନଟ କରିବାରେ ସହାୟକ ହେବ । ଏହାଦ୍ୱାରା ରାସ୍ତାରେ ଦୁର୍ଘଟଣା ହ୍ରାସ ପାଇବା ସହିତ ପଶୁ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହେବ ବୋଲି ଆୟୋଜକମାନେ କହିଛନ୍ତି। ଏହି ପ୍ରୟାସରେ ବିଜେପି ଯୁବମୋର୍ଚ୍ଚା ସଦସ୍ୟମାନେ ଓ କର୍ତ୍ତବ୍ୟ ଫାଉଣ୍ଡେସନର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ସେମାନେ ସହରର ବିଭିନ୍ନ ଅଞ୍ଚଳରେ ଘୁରି ବୁଲୁଥିବା ଗାଈମାନଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧିଲେ। ଆୟୋଜକମାନଙ୍କ କହିବା ଅନୁସାରେ, ଏହି ଉଦ୍ୟମ ଏକ ଦିନର କାର୍ଯ୍ୟ ନୁହେଁ, ଆଗାମୀ ଦିନଗୁଡିକରେ ମଧ୍ୟ ଏହାକୁ ଜାରି ରଖାଯିବ ଯାହାଦ୍ୱାରା ସମସ୍ତ ବୁଲା ଗାଈମାନେ ଏହି ବେଲ୍ଟ ପିନ୍ଧିପାରିବେ। ସେମାନେ ସମସ୍ତ ସହରବାସୀଙ୍କୁ ଏହି ଉଦ୍ୟମରେ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି ଏବଂ କହିଛନ୍ତି ଯେ, “ଆପଣମାନଙ୍କ ସହଯୋଗ ଓ ସଚେତନତା ଦ୍ୱାରା ଏହି ପ୍ରୟାସ ସଫଳ ହେବ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବଲାଙ୍ଗିର ଏସଡିପିଓ ସରୋଜ ଉପାଧ୍ୟାୟ, ଟାଉନ ଥାନା ଅଧିକାରୀ ଅବନୀ ସାହୁ, ବଲାଙ୍ଗିର ବିଜେପି ଯୁବମୋର୍ଚ୍ଚା ସଭାପତି ଅମରଜିତ୍ ପଟେଲ, କର୍ତ୍ତବ୍ୟ ଫାଉଣ୍ଡେସନ ସଭାପତି କାହ୍ନା ଶତପଥି, ସୁନିଲ ମିଶ୍ର, ଚର୍ଚ୍ଚିତ ମିଶ୍ର, ସୁରେନ୍ଦ୍ର ପଣ୍ଡା, ନୂତନ ମିଶ୍ର, ନାରାୟଣ ରାଉତ, ଋତୁରାଜ ପଧାନ, ବିନୋଦ ପଧାନ, ବାଳକୃଷ୍ଣ ସାହୁ, ହିମାଂଶୁ, ଜିତେନ୍ଦ୍ର ପ୍ରଧାନ ଓ ଅନେକ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ