ପୁରୀ, ୧୨ ଅକ୍ଟୋବର (ହି.ସ.)- ପବିତ୍ର କାର୍ତିକ ମାସ ଅବସରରେ ଶ୍ରୀ ଜଗନ୍ନାଥ ଧାମ ପୁରୀକୁ ହଜାର ହଜାର ଭକ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଛନ୍ତି । ଭକ୍ତମାନଙ୍କ ସୁବିଧା, ସୁରକ୍ଷା ଓ ସେବା ସୁବ୍ୟବସ୍ଥା ନିମନ୍ତେ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ସୁଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷିରେ ଏସପି ପ୍ରତୀକ ସିଂଙ୍କ ନିର୍ଦେଶରେ ସିଂହଦ୍ୱାର ଥାନା ଆଇଆଇସି ଶ୍ୱେତପଦ୍ମା ଦାଶଙ୍କ ନେତୃତ୍ୱରେ ରବିବାରେ ଶ୍ରୀଜଗନ୍ନାଥ ଦର୍ଶନ ସମୟରେ ଭକ୍ତମାନଙ୍କୁ ଦହି ପାଣି ବଂଟନ କରାଯାଇଛି । ଏହା ମାଧ୍ୟମରେ ଦର୍ଶନ ପାଇଁ ଦଣ୍ଡାୟମାନ ଭକ୍ତମାନେ ସ୍ୱସ୍ତି ଓ ସତେଜତା ଅନୁଭବ କରିପାରିଲେ ।
ପୁରୀ ପୋଲିସ ପକ୍ଷରୁ ଏହି ପ୍ରୟାସ ଭକ୍ତ ସେବା ଓ ମାନବିକ ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେଇ ସାଧାରଣ ଲୋକଙ୍କ ସହିତ ନିକଟ ସମ୍ପର୍କ ସ୍ଥାପନ କରିବାର ଏକ ଉଦ୍ୟମ । ପୁରୀ ପୋଲିସ ନିରନ୍ତର ଭାବରେ ‘ସେବା, ଶାନ୍ତି ଓ ଶୃଙ୍ଖଳା’ ପାଇଁ ପ୍ରତିବଦ୍ଧ ।
ହିନ୍ଦୁସ୍ଥାନ ସମାଚାର / ବିଜୟ