ଭଦ୍ରକ, 20 ଅକ୍ଟୋବର (ହି.ସ.) - ଭଦ୍ରକ ହେଉଛି ମା’ ଭଦ୍ରକାଳୀଙ୍କ ପୀଠ । ଏବଂ ଓଡ଼ିଶାର ପ୍ରଥମ ଶକ୍ତିପୀଠ । ଐତିହାସିକମାନଙ୍କ ମତରେ ଭୌମକର ଶାସନର ଶେଷଭାଗରେ ଓଡ଼ିଶାର ତନ୍ତ୍ରବାଦର ପ୍ରସାର ଘଟିଲା । ତନ୍ତ୍ରବାଦରେ ଶକ୍ତିପୂଜାର ପ୍ରାଧାନ୍ୟ ଥିବାର ଓଡ଼ିଶାର ବିଭିନ୍ନ ଅଂଚଳରେ ଶକ୍ତିପୀଠ ମୁଣ୍ଡ ଟେକିଲା । ଭଦ୍ରକର ପ୍ରତିଷ୍ଠିତ ମା’ ଭଦ୍ରକାଳୀ ହେଉଛନ୍ତି ନିକଟସ୍ଥ କୁପାରୀ ଅଂଚଳର ଜଙ୍ଗଲରୁ ଆଣି ଜଙ୍ଗଲ ଦେବୀ (ପର୍ଣ୍ଣଦେବୀ) ଙ୍କୁ ପ୍ରତିଷ୍ଠା କରାଯାଇ ଭଦ୍ରକ କାଳୀଙ୍କ ନାମରେ ପୂଜିତ କରାଗଲା । ସ୍ଥାନର ମଧ୍ୟ ଭଦ୍ରକ ରଖାଗଲା । କାଳକ୍ରମେ ମା’ଙ୍କ ଆଶୀର୍ବାଦରୁ ଭଦ୍ରକ କାଳୀପୂଜାର ଏକ ଐତିହାସିକ ପରମ୍ପରାର ଆରମ୍ଭ ହେଲା । ଭଦ୍ରକର ରେଲ୍ୱେ ଷ୍ଟେସନ ଚରମ୍ପା ଠାରେ ଅନୁଷ୍ଠିତ ହୋଇଆସୁଥିବା କାଳୀପୂଜା ଆଜି ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଛି । ଭଦ୍ରକର ଚରମ୍ପା କାଳୀପୂଜା କେବେଠାରୁ ଓ କିପରି ଆରମ୍ଭ ହେଲା, ସେ ନେଇ ଭିନ୍ନ ଭିନ୍ନ ମତ ରହିଛି । ଏହି ଷ୍ଟେସନରେ ଅତୀତରେ ବହୁ ବଙ୍ଗୀୟ ବ୍ୟକ୍ତି ରେଳବାଇ କର୍ମଚାରୀ ଥିଲେ । ଏଠାରେ ଶୁଣିବାକୁ ମିଳେ ସେହି ବଙ୍ଗୀୟ ରେଳ କର୍ମଚାରୀମାନେ ପ୍ରଥମେ ଆରମ୍ଭ କରିଥିଲେ । ଷ୍ଟେସନର ଇଞ୍ଜିନ୍ ସେଡ୍ ନିକଟରେ ଏକ ଛୋଟ ମନ୍ଦିରରେ ଦୀପାବଳି ଦିନ ମା’ କାଳୀଙ୍କ ପୂଜାର୍ଚ୍ଚନା କରାଯାଇଆସୁଥିଲା । ଏଠାରେ ନିକଟସ୍ଥ ମା’ ଭଦ୍ରକାଳୀ ମନ୍ଦିରର ପୂଜକଙ୍କ ପରାମର୍ଶ ଅନୁସାରେ ସମସ୍ତ ପୂଜାବିଧି ସଂପନ୍ନ କରାଯାଇଥିଲା । ଏହି ବଙ୍ଗୀୟ କର୍ମଚାରୀମାନଙ୍କ ସହ ଅନ୍ୟ କର୍ମଚାରୀ ଓ ସ୍ଥାନୀୟ ବ୍ୟବସାୟୀମାନେ ମିଶି ପୂଜାର ଆକାର ଓ ପ୍ରକାର ପରିବର୍ତନ କଲେ । ଏହି କାଳୀପୂଜା ପାଳନର ପୃଷ୍ଠଭୂମିରେ ବଙ୍ଗୀୟ କର୍ମଚାରୀ ମା’ ଭଦ୍ରକାଳୀ ମନ୍ଦିରର ଯଥେଷ୍ଟ ପ୍ରଭାବ ସଂପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳେ । ସେଦିନର ସେହି କ୍ଷୁଦ୍ର ପ୍ରଚେଷ୍ଟା ଆଜି ଏକ ବିଶାଳ ଗଣପର୍ବରେ ପରିଣତ ହୋଇଛି । ଭଦ୍ରକର ପ୍ରସିଦ୍ଧ କାଳୀପୂଜା ବିଶେଷତଃ ମା’ ପଥର କାଳୀପୂଜା ଏବେ ଶହେ ବର୍ଷ ଅତିକ୍ରମ କରିଛି । ଏହା ଭଦ୍ରକ ଅଂଚଳରେ ସୀମିତ ନରହି ଏହାର ପ୍ରଭାବରେ ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, ଆନନ୍ଦପୁର ଅଂଚଳରେ କାଳୀପୂଜାର ପ୍ରଚାର ପ୍ରସାର ହେଉଛି । ଯୁଗ ସହିତ ତାଳ ଦେଇ ଏହି ଯାତ୍ରା ଓ ମେଳାର ସ୍ୱରୂପ ପରିବର୍ଦ୍ଧିତ ହୋଇଛି । ଆଜି ଶହେ ବର୍ଷର ପ୍ରାଚୀନ ପୂଜା ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସେହି ମେଳା କ୍ରମଶଃ ବଢିବାରେ ଲାଗିଲା । ମା’ ପଥରକାଳୀଙ୍କ ମନ୍ଦିର ବ୍ୟତୀତ ଷ୍ଟେସନ ନିକଟବର୍ତୀ ପିଡବ୍ଲ୍ୟୁଆଇ ଓ ଟ୍ରାଫିକ୍ ଛକ ଆଉ ଦୁଇଟି ପୂଜା ମଣ୍ଡପରେ ମା’ଙ୍କର ମୃଣ୍ମୟ ମୂର୍ତିକୁ ପୂଜା କରାଗଲା । ଦୀର୍ଘବର୍ଷ ପରେ ଏବେ ଚରମ୍ପା ହାଇସ୍କୁଲ ପଡିଆ, ଏରେଇଁ କାଳୀ, ବିଶାଣିଖରିଦା, ଡଗରାସାହି, ରାଜଘାଟ ଛକ, ତେଲଙ୍ଗା ପଟି ଭଳି ୧୦ ଟି ସ୍ଥାନରେ ସୁସଜ୍ଜିତ ଆଲୋକମାଳା ଓ ମଣ୍ଡପରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି । ଭଦ୍ରକର ଲୋକମୁଖରୁ ଶୁଣାଯାଏ ଯେ ଯେତେ ମେଳା, ଯାତ୍ରା ମଣ୍ଡପ ବୁଲ ଚରମ୍ପା କାଳୀ ନଦେଖିଲେ ବର୍ଷ ତମାମ ମନରେ ଅବଶୋଷ ରହିଯାଏ । ତେବେ ଚଳିତବର୍ଷ କାଳୀପୂଜାକୁ ଅଧିକ ଆକର୍ଷଣ କରିବା ପାଇଁ ପୂଜା କମିଟି ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗିରହିଛି । ଅନ୍ୟପକ୍ଷରେ ଶିଳ୍ପୀ ମୂର୍ତିର ଶେଷ ସ୍ପର୍ଶ ଦେବା ଅପେକ୍ଷାରେ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ